ଅହିଂସାର ପାଠ ପଢ଼ିବେ ଛାତ୍ରଛାତ୍ରୀ: ମନ୍ତ୍ରୀ
ଭୁବନେଶ୍ୱର: ଏଣିକି ସ୍କୁଲ ଓ +୨ କଲେଜରେ ଅହିଂସା ସମ୍ପର୍କିତ ପ୍ରତିଯୋଗିତା କରାଯିବ। ପିଲାଙ୍କୁ ଦିଆଯିବ ଅହିଂସା ମନ୍ତ୍ର। ବାଲ୍ୟବସ୍ଥାରୁ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବେ ଛାତ୍ରଛାତ୍ରୀ। ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ। ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା ନୀତି ସମ୍ପର୍କିତ ପ୍ରତିଯୋଗିତା କରାଯିବ। ଏନେଇ ବ୍ଲକ , ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିଯୋଗିତା ଆୟୋଜନ ହେବ। ଅହିଂସା ନୀତି ନେଇ ବକ୍ତୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ଆସନ୍ତା ଅକ୍ଟୋବର ୨ ତାରିଖରେ ସାରା ଦେଶ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରିବ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ବିଦ୍ୟାଳୟ ସ୍ତରରେ ପିଲାଙ୍କୁ ଜାତିର ପିତାଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାକୁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ଏହା ପରେ ରଚନା, ତର୍କ, ଚିତ୍ରାଙ୍କନ, ବୁଦ୍ଧି ପରୀକ୍ଷା ପରି ପ୍ରତିଯୋଗିତା କାର୍ୟ୍ୟକ୍ରମ କରାଯିବ । ସେପ୍ଟେମ୍ବର ୧୬ରୁ ୧୮ ପର୍ୟ୍ୟନ୍ତ ସ୍କୁଲ ସ୍ତରରେ ପ୍ରତିଯୋଗିତା ହେବ । ଏଥିରେ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନେ ୨୩ରୁ ୨୪ ତାରିଖ ଯାଏ ବ୍ଲକ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହା ପରେ ୨୭ ଓ ୨୮ ଦୁଇ ଦିନ ଧରି ଜିଲ୍ଲା ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଜୟୀ ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଧୀରେ ଧୀରେ ହଂସା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ଛାତ୍ରଛାତ୍ରୀ ମାନେ ବି ଏହାକୁ ଅନୁକରଣ କରିବାର ଦେଖାଯାଉଛି । କୁନି କୁନି ପିଲାମାନେ ବିଭିନ୍ନ ଅପରାଧରେ ଜଡ଼ିତ ଥିବାର ଅନେକ ଖବର ବି ଆସୁଛି । ତେବେ ଛାତ୍ରଛାତ୍ରୀ କୋମଳ ମନକୁ ନିର୍ମଳ ରଖିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ନିଶ୍ଚୟ ।
Comments are closed.