ଶିକ୍ଷାର ସାକ୍ଷାତ ଦେବୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ବର: ଶିକ୍ଷାର ସାକ୍ଷାତ ଦେବୀଙ୍କୁ ଶିକ୍ଷାମନ୍ତ୍ରୀ ଜଣାଇଲେ ସାଧୁବାଦ। ଗତକାଲି ଢେଙ୍କାନାଳ ପାହାଡି ଅଞ୍ଚଳର ଏମିତି ଜଣେ ଶିକ୍ଷୟତ୍ରୀଙ୍କୁ ଆମେ ବିଭିନ୍ନ ସୋସିଆଲ ମିଡ଼ିଆରେ ଦେଖିଥିଲେ ଯିଏ ପିଲାଙ୍କ ଭବିଷ୍ୟତ ଗଢିବାକୁ ଗଲା ୧୧ ବର୍ଷ ହେବ ଭରା ନଈରେ ବେକେ ପାଣି ପାରି ହୋଇ ସ୍କୁଲକୁ ଯାଉଛନ୍ତି। ଦୁର୍ଗମ ଅଞ୍ଚଳର ପିଲାଙ୍କୁ ପାଠ ପଢାଇବାର ଶିକ୍ଷୟତ୍ରୀଙ୍କ ଏଭଳି ଜିଦ, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ହେଲେ ଏବେ ଏହି ଖବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦୃଷ୍ଟିଗୋଚର ହେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ସମୀର ଦାସ କହିଛନ୍ତି, ଏମିତି ଶିକ୍ଷୟତ୍ରୀ ମହାଶୟାଙ୍କୁ ଧନ୍ୟବାଦ। ନିଜର ଜୀବନକୁ ବାଜି ଲଗେଇ ପାଠ ପଢେଇବା ପାଇଁ ଯାଉଥିବାର ଦୃଶ୍ୟ ମୁଁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେବାର ଦେଖିଲି। ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଶିକ୍ଷୟତ୍ରୀ ବିନୋଦିନୀ ମହୋଦୟାଙ୍କୁ ଅନୁକରଣ କରିବା ଉଚିତ୍।
ଭରା ନଈ, ବେକେ ପାଣି, ଆଉ ପାଣି ଭିତରେ ପାଦେ ପାଦେ ବିପଦ। ଗୋଡ ଟିକେ ଖସିଗଲେ ଜୀବନ ଯିବାର ଭୟ। ଆଉ ନଦୀ ପାର ହେଲେ କାଦୁଅ ପଚପଚ ରାସ୍ତା। ଏହା ସତ୍ବେ ବି ସ୍କୁଲ ବନ୍ଦ ହେବନି କି ପିଲାଙ୍କ ପାଠ ପଢାରେ ବ୍ରେକ ଲାଗିବନି। ବିନୋଦିନୀଙ୍କ ଏହି ଗୋଟିଏ ଜିଦ୍ ପାଇଁ ନଈ ଆରପଟେ ଥିବା ରଥିଆପାଳ ସ୍କୁଲରେ କେବେ ତାଲା ଝୁଲିନି କି ପିଲାଙ୍କ ଉପସ୍ଥାନ କମିନି। ପିଲାଙ୍କୁ ପାଠ ପଢାଇବାର ଝୁଙ୍କ ଆଗରେ ନଈର ପ୍ରଖର ସ୍ରୋତ ମଧ୍ୟ ହାର ମାନିଛି। ଏହି ଦୃଶ୍ୟ ଆଜି କାଲି କିମ୍ବା ବନ୍ୟା ବେଳର ନୁହେଁ ଦୀର୍ଘ ୧୧ ବର୍ଷ ଧରି ନଈ ଆରପଟେ ଅପେକ୍ଷା କରିଥିବା ପିଲାଙ୍କ ଭବିଷ୍ୟତ ଗଢିବାକୁ ଏମିତି ନିତି ଯିବା ଆସିବା କରୁଛନ୍ତି ବିନୋଦିନୀ। ବିନୋଦିନୀ ନଗଲେ ହୁଏତ ଅନ୍ଧକାରକୁ ଠେଲି ହୋଇଯିବ ଶହ ଶହ ଛାତ୍ରଛାତ୍ରୀଙ୍କ ସୁନେଲୀ ସ୍ୱପ୍ନ। ସେଥିପାଇଁ ତ ଶାପୁଆ ନଈର ଲକ୍ଷ୍ମଣରେଖା ଭେଦି ସ୍କୁଲରେ ପହଞ୍ଚୁଛନ୍ତି ଶିକ୍ଷାର ଦେବୀ। କେବେ ନଈରେ ପାଣି ଅଧିକ ହୋଇଗଲା ବୋଲି ଭାବି ଅଟକି ଯାଇନାହାନ୍ତି ବିନୋଦିନୀ । ଗୋଟିଏ ଲକ୍ଷ୍ୟ ଏ ଗାଁର ପିଲା ପାଠ ପଢିବେ, ନିଜ ଭବିଷ୍ୟତ ନିଜେ ଗଢିବେ।
ରାଜଧାନୀ ଠାରୁ ୭୦ କିମି ଦୂରରେ ପ୍ରତିଦିନ ଏହି ଚିତ୍ର ଦେଖିବାକୁ ମିଳୁଥିଲା। ହେଲେ କେବେବି କୋଳାହଳମୟ ଦୁନିଆର ଦୃଷ୍ଟି ଆକର୍ଷଣ କରିନଥିଲା। ଯିଏ ନଦୀର ସ୍ରୋତକୁ ଚିରି ଆଗକୁ ବଢି ପିଲାଙ୍କ ଭବିଷ୍ୟତ ତିଆରି କରୁଥିଲେ, ସେ କେବେ ମଧ୍ୟ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ନଥିଲେ। ସେ କେବେ କାହାଠାରୁ ବାହା ବା ଚାହିଁ ନାହାନ୍ତି, ସେ କେବେ ଗଣମାଧ୍ୟମର ଶିରୋନାମା ସାଜି ସମ୍ମାନ ହାସଲ କରିବାକୁ ଉଦ୍ୟମ କରିନାହାନ୍ତି, ଖାସ ସେଥିପାଇଁ ତ କେବେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାନ୍ତି ଶିକ୍ଷାର ଏହି ସାକ୍ଷାତ ଦେବୀ ଜଣକ । ଆଜି ଏହି ଚିତ୍ର ଏଥିପାଇଁ ଆପଣଙ୍କ ସାମ୍ନାରେ ରଖୁଛୁ, ହୁଏତ ସରକାରଙ୍କ ନଜରକୁ ଏହି ଭରାନଦୀର ବିପଦସଙ୍କୁଳ ଯାତ୍ରା ଆସିଲେ, ଏଠାରେ ନଦୀର ଛାତି ଉପରେ ଏକ ବ୍ରିଜ ତିଆରି ହେବ ଯାହା ଶିକ୍ଷା ଆଉ ଶିକ୍ଷୟତ୍ରୀଙ୍କ ଭିତରେ ଦୂରତା ତିଆରି କରିବା ବଦଳରେ ସଂପର୍କ ସ୍ଥାପନ କରିବ ।
Comments are closed.