Odisha Link
Bridging the Missing Links in Odisha

ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତଙ୍କ ଯୋଗଦାନ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା କେବଳ ଗୋଟିଏ ସ୍ଲୋଗାନ ନୁହେଁ। ଏହି ଲକ୍ଷ୍ୟକୁ ବାସ୍ତବରେ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି।

ଇସ୍ପାତ ଶିଳ୍ପ ଗୁଡିକୁ ପ୍ରଧାନମବୀଙ୍କ ଦୂରଦୃଷ୍ଟିର ଗୁରୁତ୍ୱକୁ ବୁଝି ଭାରତକୁ ବିଶ୍ୱ ଶକ୍ତି ହେବା ଦିଗରେ ଆଗକୁ ଅଗ୍ରସର କରାଇବା ପାଇଁ ନିଜର ଋଣନୀତି ମଧ୍ୟ ନିର୍ଣ୍ଣୟ କରିବାକୁ ହେବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ କଂଚାମାଲର ଉପଲବ୍ଧତା, ମାନବସମ୍ବଳ ଶକ୍ତି, ବିଶାଳ ସମୁଦ୍ର ତଟ ଏବଂ ଏକ ବୃହତ ବଜାର ଆଶୀର୍ବାଦ ସ୍ବରୂପ ପ୍ରାପ୍ତ ହୋଇଛି। ଦୁନିଆର ସର୍ବଶ୍ରେଷ୍ଠ ବେଞ୍ଚମାର୍କ ପ୍ରତିଷ୍ଠା ପାଇଁ ଭାରତ ପାଖରେ ସବୁ ଯୋଗ୍ୟତା ଅଛି। ସାଧାରଣ ଲୋକଙ୍କ ଜୀବନଶୈଳୀ ସହ ଇସ୍ପାତ୍ ଶିଳ୍ପକୁ ଜଡିତ ହେବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ଗାଲଭାନାଇଜଡ୍ ଇସ୍ପାତ୍ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭାରତ ସରକାର ଇସ୍ପାତ୍ ଶିଳ୍ପ ପାଇଁ ସବୁ ଅନୁକୂଳ ବାତାବରଣ ତିଆରି କରିବା ପାଇଁ ପ୍ରତିବଦ୍ଧ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସବୁ ଘରକୁ ଜଳ ଯୋଜନା, ଆବଶ୍ୟକତାନୁଯାୟୀ ଉର୍ଜାର ବୃଦ୍ଧି ଓ ୪୦୦ଟି ସହରରେ ପ୍ରାକୃତିକ ଗ୍ୟାସ ବିତରଣର ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବାରେ ସୁବିଧା ପ୍ରଦାନ କରିବ ଏବଂ ଏହି କ୍ଷେତ୍ରକୁ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜିର ସମ୍ମିଳନୀ ଇସ୍ପାତ ଶିଳ୍ପ ପାଇଁ ଋଣନୀତି ପ୍ରସ୍ତୁତ କରିବାରେ ଏକ ଲମ୍ବା ରାସ୍ତା ତିଆରି କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Comments are closed.