୨୪/୨୫ରେ କଂଗ୍ରେସ ପ୍ରାର୍ଥୀ ଚୟନ: ନିରଞ୍ଜନ

ଭୁବେନଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆଉ ମାତ୍ର ଏକ ମାସ ସମୟ। ବିଜେପୁର ଲାଗି ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ବିଗୁଲ ବଜାଇଛନ୍ତି। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଗ ଭିଡ଼ିଛନ୍ତି। ପ୍ରାର୍ଥୀ ଚୟନରେ ସବୁ ଦଳ ଲାଗି ପଡ଼ିଛନ୍ତି। ତେବେ ଆସନ୍ତା ୨୪/୨୫ରେ କଂଗ୍ରେସ ତାର ପ୍ରାର୍ଥୀ ଚୟନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନନ ପାଇଁ ରାଜ୍ୟ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଅଛି। ପ୍ରାର୍ଥୀ ଚୟନ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୪ ସୁଦ୍ଧା କମିଟି ରିପୋର୍ଟ ଦେବ। ସେହି ଦିନ ପ୍ରାର୍ଥୀ ଚୟନ ନେଇ ବୈଠକ ବସିବ। ତେବେ ୨୪ କିମ୍ବା ୨୫ରେ ପ୍ରାର୍ଥୀ ଚୟନ ଶେଷ ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାଛଡ଼ା ନିର୍ବାଚନରେ ଚାଷୀ ଓ ଜଳସଚନ ସମସ୍ୟା କଂଗ୍ରେସ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ରାଜନୈତିକ ଦଳ ଲାଗି ବିଜେପୁର ଏସିଡ଼ ଟେଷ୍ଟ। ତେଣୁ ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି। ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା। ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ।
Comments are closed.