Odisha Link
Bridging the Missing Links in Odisha

ଅଲ୍‌ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍‌ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ଡ. ସାହୁଙ୍କ ବୈଠକ

ଭୁବନେଶ୍ୱର :ସଂପ୍ରତି ରାଜ୍ୟରେ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଓ ଅଣ୍ଡାର ବିକି୍ର ମୂଲ୍ୟରେ ହ୍ରାସ ଯୋଗୁଁ ଅଣ୍ଡା ଦିଆ କୁକୁଡ଼ା ପାଳନ କରୁଥିବା ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଗତକାଲି ଏକ ବୈଠକ କୃଷିଭବନଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଲ୍‌ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ରାଜ୍ୟରେ ଅଣ୍ଡାଦିଆ କୁକୁଡ଼ା ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଡ. ସାହୁ ରାଜ୍ୟରେ କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଓଡ଼ିଶାକୁ ଏକ ବଳକା ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବିଷୟରେ ସୂଚନା ଦେଇଥିଲେ ।

କୁକୁଡ଼ା ଖାଦ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ବୈଠକରେ ଆସୋସିଏସନ୍‌ ପକ୍ଷରୁ ପ୍ରକାଶ କରାଯାଇଥିଲା । ଓଡ଼ିଶାରେ କୁକୁଡ଼ା ଚାଷର ଉନ୍ନତି ନିମନ୍ତେ ନ୍ୟାସନାଲ୍‌ ଏଗ୍‌ କୋଅର୍ଡିନେସନ୍‌ କମିଟି ପକ୍ଷରୁ ଓଡ଼ିଶାର କୁକୁଡ଼ା ଚାଷୀଙ୍କୁ ଅଧିକ ସୁଯୋଗ ଦେବା ଉପରେ ଆଲୋଚନା ହୋଇଥିଲା । ରାଜ୍ୟର ସମସ୍ତ ଅଞ୍ଚଳରେ ଏକକ ବିଦ୍ୟୁତ ହାର ପ୍ରଚଳନ, ସରକାର ସଂସ୍ଥାକୁ ଅଣ୍ଡା ଚାଷୀମାନଙ୍କ ଦ୍ୱାରା ସିଧାସଳଖ ଅଣ୍ଡା ବିକ୍ରି ଏବଂ କୁକୁଡ଼ା ଖାଦ୍ୟ କଞ୍ଚାମାଲ ଉପରେ ଜିଏସ୍‌ଟି, ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ବିପଣନ ଟିକସ ଆଦାୟ, ଓଡ଼ିଶା କୁକୁଟ ନୀତିକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଏବଂ ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କ ପାଇଁ ମୂଳପୁଞ୍ଜିନିବେଶ ଉପରେ ରିହାତି ଆଦି ସଂପର୍କରେ ବୈଠକରେ ବିଚାରବିମର୍ଶ ହୋଇଥିଲା ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌.ରଘୁ ପ୍ରସାଦଙ୍କ ସମେତ ଅଲ୍‌ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍‌ର ସଭାପତି ମାନସ ରଞ୍ଜନ ମଙ୍ଗରାଜ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରେନ୍ଦୁ ଶେଖର ଦେ ପ୍ରମୁଖ ଯୋଗଦେଇଥିଲେ ।

Comments are closed.