‘ହିନ୍ଦୀ’ ଡାଇପର୍ସ ପିନ୍ଧୁଥିବା ଟିକି ପିଲାଟିଏ: କମଲ ହାସନ

ଚେନ୍ନାଇ: ଭାରତର ଭାଷା ପରିବାର ମଧ୍ୟରେ ସବୁଠୁ ସାନ ହୋଇଥିବାରୁ ‘ହିନ୍ଦୀ’ ଡାଇପର୍ସ ପିନ୍ଧୁଥିବା ଟିକି ପିଲାଟିଏ। ଏପରି କହିଛନ୍ତି ମକ୍କଲ ନିଧି ମୈୟାମ୍ (ଏମ୍ଏନ୍ଏମ୍) ନେତା କମଲ ହାସନ।
ଗୋଟାଏ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ହାସନ କହିଲେ: ହିନ୍ଦୀ ଡାଇପର୍ସ ପିନ୍ଧୁଥିବା ଟିକି ପିଲାଟିଏ। ତାମିଲ, ସଂସ୍କୃତ ଏବଂ ତେଲୁଗୁ ତୁଳାନାରେ ହିନ୍ଦୀ ଏବେ ମଧ୍ୟ ଅତି ସାନ। ମୁଁ ପରିହାସ କରି ଏ କଥା କହୁନାହିଁ। ମୁଁ ସମ୍ବେଦନାର ସହ କହୁଛି ଯେ ଆମକୁ ଭାଷାମାନଙ୍କର ତତ୍ତ୍ୱ ନେବାକୁ ପଡ଼ିବ କିନ୍ତୁ, ଭାଷାକୁ ଆମ ଉପରେ ଲଦି ଦେବା କି, ଗିଳାଇ ଦେବା ଅନୁଚିତ। ପୂର୍ବରୁ ସେପ୍ଟେମ୍ବର ୧୬ ତାରିଖ ଦିନ ହସନ କହିଥିଲେ ଯେ ହିନ୍ଦୀ ଭାଷା ଲଦି ଦିଆଗଲେ ଗୋଟାଏ ବଡ଼ ଯୁଦ୍ଧ ହେବ ଯାହା ଜଲ୍ଲିକାଟୁ ପ୍ରତିବାଦ ଠାରୁ ବୃହତ୍ତର ହେବ।
ସେ କହିଲେ: ଆମେ ପୂର୍ବରୁ କହିଛୁ ଏବଂ କହିବୁ ମଧ୍ୟ, ତାମିଲ ଭାଷା ଆମର ଗୌରବ ହୋଇଥିବାରୁ ଆମେ ତା’ ପାଇଁ ଲଢ଼ିବୁ। ଭାରତକୁ ସାଧାରଣତନ୍ତ୍ର କରିବା ବେଳେ ଆମେ ବିବିଧତା ମଧ୍ୟରେ ଏକତା ନିମନ୍ତେ ପ୍ରତିଶ୍ରୁତି ଦେଇଛୁ। ଆମେ ତାହାକୁ ପରିବର୍ତ୍ତନ କରି ପାରିବା ନାହିଁ। ସେ ଆହୁରି କହିଛନ୍ତି ଯେ, ଏବେ କୌଣସି ଶାହା, ସୁଲ୍ତାନ କିଂବା ସମ୍ରାଟ ସେମାନଙ୍କ ପ୍ରତିଶ୍ରୁତିରୁ ହୁଡ଼ିବା ଅନୁଚିତ। ଆମେ ସବୁ ଭାଷାକୁ ସମ୍ମାନ ଦେଉଛୁ କିନ୍ତୁ, ତାମିଲ ସର୍ବଦା ଆମର ମାତୃଭାଷା ହୋଇଥିବ।
ସୂଚନାଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ୧୪ ତାରିଖ ହିନ୍ଦୀ ଦିବସ ଦିନ ହିନ୍ଦୀକୁ ଜାତୀୟ ଭାଷା କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ଫଳରେ ବିରୋଧୀ ଦଳର ଅନେକ ନେତା ଏହାକୁ ପ୍ରତିବାଦ କରିଥିଲେ।