ଧର୍ମେନ୍ଦ୍ରଙ୍କ ସହ ଏକମତ ନୁହେଁ: ଖାରବେଳ

ଭୁବନେଶ୍ବର: ‘ମୁଁ ପୂର୍ବରୁ ଅନ୍ୟ ଦଳରେ ଥିବା ବେଳେ ମୋର ମତ ଯାହା ଥିଲା ତାହା ଏବେ ବି ଅପରିବର୍ତ୍ତିତ। ଧର୍ମେନ୍ଦ୍ର ପ୍ରଧାନ ଆମ ଦଳର ହେଲେ ବି ମୁଁ ତାଙ୍କର ଘୋଷଣା ସହ ଏକମତ ନୁହେଁ’ ବୋଲି ଆଜି ଟଙ୍କିକିଆ ଚାଉଳ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ।
ଆଜି ସ୍ଥାନୀୟ ସ୍ବସ୍ତି ପ୍ରିମିୟମ୍ କନକ ନ୍ୟୁଜ୍ର ୧୦ମ ପ୍ରତିଷ୍ଠା ଉତ୍ସବରେ ‘ଆଗେଇଛି ଓଡ଼ିଶା’ ଶୀର୍ଷକ ବିତର୍କରେ ଶ୍ରୀ ସ୍ବାଇଁଙ୍କ ସମେତ କଂଗ୍ରେସ ନେତା ରଂଜୀବ ବିଶ୍ବାଳ ଓ ବିଜେଡି ନେତା ଅମର ପଟ୍ଟନାୟକ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର ଏହି ବିତର୍କ ସଂଚାଳନ କରିଥିଲେ।
ବିତର୍କରେ ଓଡ଼ିଶା ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନାକୁ ଖାରବେଳ ସ୍ବାଇଁ ସମାଲୋଚନା କରିଥିବା ବେଳେ ଏହା ବିକାଶରେ ବାଧକ ବୋଲି ସେ ମତ ରଖିଥିଲେ। ତେବେ ବିତର୍କ ଅନ୍ତେ ଉପସ୍ଥିତ ଶ୍ରୋତାମାନେ ବକ୍ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।
ଖାରବେଳ ସ୍ବାଇଁଙ୍କୁ ପ୍ରଶ୍ନ ହୋଇଥିଲା- ଆପଣ ଓଡ଼ିଶାର ଟଙ୍କିକିଆ ଚାଉଳ ଯୋଜନାକୁ ସମାଲୋଚନା କରୁଛନ୍ତି। ତେଣେ ନିର୍ବାଚନ ପୂର୍ବରୁ ଆପଣଙ୍କ ଦଳର ନେତା ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାର ଗରିବଙ୍କୁ ୧ ଟଙ୍କାରେ ୫ କେଜି ଚାଉଳ, ଅଧ କେଜି ଡାଲି ଓ ଅଧ କେଜି ଲୁଣ ଯୋଗାଇ ଦିଆଯିବ। ଏହାକୁ ଆପଣ କିପରି ଦେଖନ୍ତି।
ଉତ୍ତରରେ ଖାରବେଳ କହିଥିଲେ- ମୁଁ ତାଙ୍କ ସହ ଆଦୌ ଏକମତ ନୁହେଁ। ପୂର୍ବରୁ ଅନ୍ୟଦଳରେ ଥିବା ବେଳେ ମୋର ମତ ଯାହା ଥିଲା ବିଜେପିରେ ଥିବା ବେଳେ ବି ସମାନ ମତ ରହିଛି।
Comments are closed.