ପରପିଢ଼ି ସାମ୍ନାରେ ମୋ ସମେତ ପୂର୍ବର ସମସ୍ତେ ଫିକା ପଡ଼ିଯାଆନ୍ତୁ: ଗୌରହରି ଦାସ
ଆଜି (୯ ଅକ୍ଟୋବର) ଥିଲା ବରିଷ୍ଠ କଥାକାର ଡ. ଗୌରହରି ଦାସଙ୍କ ଜନ୍ମଦିନ। ଏ ଅବସରରେ ୧୯୬୦ ମସିହାରେ ଜନ୍ମିତ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଖର କଥାସ୍ବର ଡକ୍ଟର ଦାସଙ୍କୁ ଯୁବ କଥାଶିଳ୍ପୀ ଶକ୍ତି ମହାନ୍ତି ପଚାରିଛନ୍ତି ୬ଟି ପ୍ରଶ୍ନ। ପଢ଼ନ୍ତୁ ଓ ମତାମତ ରଖନ୍ତୁ…
ଶକ୍ତି ମହାନ୍ତି: ଆପଣଙ୍କୁ ଜନ୍ମଦିନର ଅଭିନନ୍ଦନ। ଆପଣ ସାହିତ୍ୟ, ସାମ୍ବାଦିକତା, ଅନୁବାଦ, ମଞ୍ଚନାଟକ ସହିତ ଖୁବ୍ ଘନିଷ୍ଠ। ଆମ ତଥାକଥିତ ଆଧୁନିକ ଜୀବନର ବିନ୍ୟାସ ସହ ସାହିତ୍ୟ କେତେ ମାତ୍ରାରେ ସଂଶ୍ଳିଷ୍ଟ? ନା ପୃଷ୍ଠା ଭିତରେ ପରରୁ ଗୁଜୁରୁଥିବା ପରକୁ କ୍ଷଣିକ ଖୁସି ହୋଇ ତାକୁ ପୁଣି ପୃଷ୍ଠା ଭିତରେ ଚାପି ରଖିବାର ପରି ଆମର ସାହିତ୍ୟ ଉପଲବ୍ଧି?
ଗୌରହରି ଦାସ: ଧନ୍ୟବାଦ। ଯେମିତି ଗୋଟେ କବିତା, ଗପ କି ଉପନ୍ୟାସ ପଢ଼ିବା ପରର ମଣିଷ, ପୂର୍ବର ମଣିଷଠାରୁ ଟିକିଏ ଅଲଗା ସେମିତି ଏସବୁ ଲେଖୁଥିବା ଲେଖକ ମଧ୍ୟ ଲେଖିବା ପୂର୍ବର ମଣିଷଠାରୁ ଅଲଗା। ପୃଥିବୀର ସବୁଠୁ ଜଘନ୍ୟ ଅପରାଧୀ ମଧ୍ୟ ଜନ୍ମ ହେବାବେଳେ ଭଲ ମଣିଷଟେ ହେବାର ସ୍ୱପ୍ନ ଦେଖିଥିବ। ପ୍ରତି ମଣିଷ ଚାହେ ସମାଜର ସ୍ୱୀକୃତି, ଅବଶିଷ୍ଟ ପୃଥିବୀର ସ୍ନେହ। ଲେଖକ ଏଥିରୁ ଭିନ୍ନ ନୁହେଁ। କିନ୍ତୁ ସମସ୍ତଙ୍କୁ ସମୟ ସ୍ୱପ୍ନର ନିକଟବର୍ତ୍ତୀ ହୋଇ ରହିବା ଲାଗି ଅବକାଶ ଦିଏ ନାହିଁ।
ଆମେ ପ୍ରାୟତଃ ବିଶ୍ବାସ କରୁ, ସାହିତ୍ୟ ଆମକୁ ସମ୍ବେଦନଶୀଳ କରେ, ନିର୍ଭୀକ କରେ। ପ୍ରକୃତରେ ଏହା କ’ଣ ଆମ ଆଚରଣରେ ଏଇ ବାଗରେ ପ୍ରତିଫଳିତ ହୁଏ?
ହଁ। ସାହିତ୍ୟ ନ ଥିଲେ ପୃଥିବୀ ବର୍ତ୍ତମାନଠାରୁ ଅଧିକ ସମ୍ବେଦନାଶୂନ୍ୟ ଓ ଅଧିକ ଭୀରୁ ହୋଇପଡ଼ିଥାଆନ୍ତା।
ଆମ ବିନିଦ୍ର ସ୍ବପ୍ନର ଆୟୁଷକୁ, ଆମ ଆଶାର ଉତ୍ସକୁ ସାହିତ୍ୟ କେତେ ମାତ୍ରାରେ ପ୍ରଲମ୍ବିତ କରେ?
ସ୍ୱପ୍ନ ଓ ଆଶା ଭିତରୁ ପ୍ରଥମଟି ଅପହଞ୍ଚ, ଦ୍ୱିତୀୟଟି ଦୂରବର୍ତ୍ତୀ । ଏ ଦୁଇଟି ନ ଥିଲେ ମଣିଷର ଜୀବନ ଅତିମାତ୍ରାରେ ଯାନ୍ତ୍ରିକ ହୋଇ ପଡ଼ିଥାଆନ୍ତା । ସାହିତ୍ୟ ପାଇଁ ଏ ଦୁଇ ଅନୁଭବ ଦୁଇଟି ମଜଭୁତ ଖୁଣ୍ଟ
ଏମିତି ଲାଗେ କି ଗଳ୍ପ ଉପନ୍ୟାସ ସବୁ ଅଲିଖିତ ଅସ୍ବୀକାରନାମା (disclaimer) ସହ ଲେଖକକୁ ଘଟଣା ଅବା ବିଦ୍ରୋହ ଠାରୁ ଏକ ନିରାପଦ ଦୂରତାରେ ରଖନ୍ତି? ନିଜ ଚରିତ୍ରମାନଙ୍କ ଦ୍ବାରା କଥାଟି କୁହାଇ ଦେଇ ଲେଖକ ନିର୍ଦ୍ଦୋଷ ହୋଇ କସିଯାଏ ଅଥବା କାଦୁଅରେ ଗୋଡ଼ ପୁରାଏନାହିଁ।
କେତେକାଂଶରେ ସତ। ମୁଁ ଆଗରୁ କହିଛି, ସାହିତ୍ୟ ସେହି ଲେଖକର ବିଫଳତାର ଦସ୍ତାବିଜ। ପ୍ରେମ କରି ସଫଳ ହୋଇଥିବା ବା ବିବାହ କରିଥିବା ଲୋକ କୋଠାବାଡ଼ି ଗଢ଼େ, ବିଫଳ ପ୍ରେମିକ କବିତା-ଉପନ୍ୟାସ ଲେଖେ। ବାଲ୍ମୀକି ଯଦି ସମ୍ରାଟ ହୋଇ କ୍ରୌଞ୍ଚ ପକ୍ଷୀକୁ ମାରିଥିବା ବ୍ୟାଧକୁ ଶାସ୍ତି ଦେଇପାରିଥାଆନ୍ତେ ବା ପ୍ରାଣୀ ଚିକିତ୍ସକ ହୋଇ ପକ୍ଷୀଟିକୁ ବଞ୍ଚେଇ ପାରିଥା’ନ୍ତେ, ବୋଧହୁଏ ସେ “ମା ନିଷାଦ…’ ଲେଖି ନ ଥା’ନ୍ତେ। ଆମେ ଚାହିଥିବା ମୁତାବକ ସମାଜ, ଜୀବନ କିମ୍ବା ପରିଣତି ଭୋଗି ନ ଥାଉ ବୋଲି ଗପ-ଉପନ୍ୟାସ କି କବିତା-ନାଟକ ଲେଖୁ। ଅନ୍ୟ କଥାଟି ମଧ୍ୟ ସତ୍ୟ। ସମୟେ ସମୟେ ଲେଖକର ସତ୍ୟପାଠ ହୋଇଥାଏ ତା’ର କବିତା – ତା’ର ଉପନ୍ୟାସ। ଖସି ପଳାଇବା କଥାଟି ଠିକ୍ ନୁହେଁ। ବ୍ୟକ୍ତିର ଅସହାୟତା ବୁଝିଥିବା ଲେଖକ ତା’ ପ୍ରତି ସମ୍ବେଦନଶୀଳ ହେବ, ତାକୁ ଆକ୍ଷେପ କରିପାରିବ ନାହିଁ।
ଜନ୍ମଦିନର ଅନୁଭବ କ’ଣ? କିଏ ବେଶି ମନେପଡ଼ନ୍ତି- ଉନ୍ମାଦ ନା ଉଦାସ, ସନ୍ନ୍ୟାସ ନା ସମ୍ପର୍କ, ତୃଷ୍ଣା ନା ତୃପ୍ତି?
ବେଶି ମନେପଡ଼ନ୍ତି ମୋର ପରଲୋକଗତ ବାପା ଶ୍ରୀ ଗଜେନ୍ଦ୍ର ଦାସ। ମୋ ଗାଁ ଷଣ୍ଢଗଡ଼ା ମନ୍ତେଇ ନଈକୂଳର ଛୋଟ ଗାଁଟିଏ। ସେଇ ଗାଁରେ ମୁଁ ୮ ବର୍ଷ ବୟସ ପର୍ଯ୍ୟନ୍ତ ଥିଲି। ସେଇଠି ଆଜକୁ ପାଖାପାଖି ପଚାଶ-ଏକାବନ ବର୍ଷ ତଳେ, ମୋ ଜନ୍ମଦିନରେ ବାପା ମହାଦେବ ମନ୍ଦିରରେ ଜଳାଭିଷେକ କରାଉଥିଲେ। ନୂଆ ଲୁଗା ପିନ୍ଧି ମୁଁ ବସୁଥିଲି, ୧୦୮ ବେଲପତ୍ର ଚଢ଼ାଯାଇ ପାଣି ଢଳା ହେଉଥିଲା। ମୁଁ ଏସବୁ ପୂଜାପାଠରେ ବିଶ୍ୱାସ ରଖେ ନାହିଁ, ତଥାପି ପିଲାଦିନର ଏ ଘଟଣା ମନେଅଛି। ଆମ ଗାଁର ଆଉ କୌଣସି ପିଲାଙ୍କ ଜନ୍ମଦିନ ଏମିତି ନିଷ୍ଠା ଓ ଉତ୍ସାହର ସହ ପାଳିତ ହେଉ ନ ଥିଲା। ଏଇ ଗୋଟିଏ ଦିନ ମୁଁ ଅନୁଭବ କରୁଥିଲି ଯେ ଶତ ଅଭାବ ସତ୍ତ୍ବେ ମୁଁ ଅନ୍ୟମାନଙ୍କ ଠାରୁ ଅଲଗା- ସ୍ନେହ, ଆଦର ଓ ଦୃଷ୍ଟି ଆକର୍ଷଣ କରିବାରେ। ଗୋଟେ ସାଧାରଣ ପରିବାରର ବାପାଟିଏ ଏମିତି ଭାବରେ ତାଙ୍କ ପୁଅ ଭିତରେ ଆତ୍ମସମ୍ମାନବୋଧ ସୃଷ୍ଟି କରିଥିଲେ। ବାପା ଚାଲିଯିବା ପରଠାରୁ ମୁଁ ମୋ ଜନ୍ମଦିନ କଥା ଭୁଲିଯାଇଛି। ବୋଉ ତିଥି ଅନୁସାରେ ମୋ ଜନ୍ମଦିନ, ଦୁର୍ଗାଷ୍ଟମୀରେ ଦେବୀଙ୍କ ପାଖେ ଭୋଗରାଗ କରି ଆସେ। ମୁଁ ବୋଉକୁ ଅନାଏ, ବୋଉ ମୋତେ। ସେତେବେଳେ ମୋର ବାପାଙ୍କ କଥା ବେଶି ମନେପଡ଼େ, ମୋ ଜନ୍ମଦିନ କଥା କମ୍। ଦିନେ ଜନ୍ମଦିନ ଆସିଲେ ଆନନ୍ଦ ହେଉଥିଲା, ଏବେ ଠିକ୍ ଓଲଟା ଅନୁଭବ ଯଦିଓ ତାହା ଠିକ୍ ଉଦାସ ନୁହେଁ। ମୋର ତୃଷ୍ଣା ନାହିଁ କି ତୃପ୍ତି ନାହିଁ। ମଣିଷ ଉପରେ ତ ଅତୃପ୍ତ ରହିବାର ଅଭିଶାପ ରହିଛି। ତେଣୁ ମୁଁ ଅଭିଯୋଗ କରିବି କାହିଁକି?
ସାହିତ୍ୟ ଓ ସାମ୍ବାଦିକତାର ନୂଆ ପିଢ଼ି ଠାରୁ କ’ଣ ଆଶା ରଖିବେ?
ପର ପିଢ଼ି ପାଇଁ ମୋର ଆଶା, ଶରତଚନ୍ଦ୍ର କହିବା ପରି- ସେମାନେ ଏତେ ଆଗକୁ ଚାଲିଯାଆନ୍ତୁ ଯେ ତାଙ୍କ ସାମ୍ନାରେ ମୋ ସମେତ ପୂର୍ବର ସମସ୍ତେ ଫିକା ପଡ଼ିଯାଆନ୍ତୁ।
Comments are closed.