ବିସିସିଆଇ ସଭାପତି ହେବେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରରଭ ଗାଙ୍ଗୁଲି ହେବେ ବିସିସିଆଇର ସଭାପତି। ଏହି ସଭାପତି ପଦ ପାଇଁ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ରେସରେ ଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ରାଜ୍ୟ କ୍ରିକେଟ ଆସୋସିଏସନ ଆସ୍ଥା ପ୍ରକଟ କରିଛି। ବ୍ରିଜେଶ ଆଇପିଏଲର ଅଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି। ସେହିପରି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସମ୍ପାଦକ ହେବେ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟ କ୍ରିକେଟ ଆସୋସିଏସନ ମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି ପ୍ରକାଶ ପାଇଛି। ଏହି ସମସ୍ତ ପଦବୀ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ଦିନ ସୋମବାର ରହିଛି। ତେବେ ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ସମ୍ଭାବନା ରହିଛି। ୨୩ ତାରିଖ ନିର୍ବାଚନ ରହିଛି। ବିସିସିଆଇ ସୂତ୍ରରୁ ରବିବାର ଏହା ଜଣାପଡ଼ିଛି। ତେବେ ଏଥିନେଇ ଆନୁଷ୍ଠାନିକ ଘୋଷଣା ଆସନ୍ତା କିଛି ଦିନ ମଧ୍ୟରେ ହେବ।
ଭାରତୀୟ ଅନ୍ୟତମ ସଫଳ କି୍ରକେଟ ଅଧିନାୟକ ଭାବେ ପରିଚିତ ୪୭ ବର୍ଷୀୟ ଗାଙ୍ଗୁଲି ସମ୍ପ୍ରତି ବେଙ୍ଗଲ କି୍ରକେଟ ସଂଘ( ସିଏବି) ର ସଭାପତି ଅଛନ୍ତି। ସେଥିପାଇଁ ସେ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ରହି ପାରିବେ। ସିଏବି ଏବଂ ବିସିସିଆଇ ସଭାପତି ଭାବେ ୬ ବର୍ଷ ପୂରଣ କରିବା ପରେ ଲୋଧା ସମିତି ସୁପାରିସ ମୁତାବକ ତାଙ୍କୁ କୁଲିଂ ଅଫ ପିରିୟଡରେ ଯିବାକୁ ହେବ। ବିସିସିଆଇ ସଭାପତି ରେସରେ ସୌରଭ ଓ ପୂର୍ବ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ। କିନ୍ତୁ ବିଜେପି ନେତା ଅନୁରାଗ ଠାକୁର ଓ ତାଙ୍କ ଟିମ ସୌରଭଙ୍କ ପାଇଁ ସମର୍ଥନ ଯୋଗାଡ଼ କରିଥିଲେ। ଅପରପକ୍ଷରେ ବ୍ରିଜେଶଙ୍କୁ ଆଇପିଏଲ ଅଧ୍ୟକ୍ଷ କରାଯିବ ବୋଲି ଜାଣିବାକୁ ମିଳିଛି।
Comments are closed.