Odisha Link
Bridging the Missing Links in Odisha

ଜଳ ସଂପଦ ବିଭାଗ ସାଂସ୍କୃତିକ ପରିଷଦର ଅଷ୍ଟାଦଶ ବାର୍ଷିକୋତ୍ସବ

ଭୁବନେଶ୍ୱର : ଜଳ ସଂପଦ ବିଭାଗର କର୍ମଚାରୀମାନେ କୃଷକମାନଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ଭଳି କାର୍ଯ୍ୟକୁ ଦାୟିତ୍ବବୋଧତାର ସହିତ ନିର୍ବାହ କରିବା ସହିତ ଦୀର୍ଘ ବର୍ଷ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିଭାଗ ମଧ୍ୟରେ ଭାଇଚାରାର ନିଦର୍ଶନ ସୃଷ୍ଟି କରି ଅନ୍ୟ ବିଭାଗ ଓ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟ ଜଳ ସଂପଦ ବିଭାଗ ସାଂସ୍କୃତିକ ପରିଷଦର ଅଷ୍ଟାଦଶ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟପାଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗରେ କାର୍ଯ୍ୟକରୁଥିବା ଏହି ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଦାସ କହିଲେ ଯେ, ଜଳ ସଂପଦ ବିଭାଗର କର୍ମଚାରୀମାନେ ସରକାରୀ ବେତନଭୋଗୀ କର୍ମଚାରୀ ହୋଇମଧ୍ୟ କେବଳ ପରିବାର ପ୍ରତିପୋଷଣରେ ସୀମିତ ହୋଇ ରହିନାହାଁନ୍ତି, ଏହି ମାନସିକତାରୁ ସେମାନେ ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଅନ୍ୟମାନଙ୍କ ମଧ୍ୟରେ ଭାଇଚାରାର ଚିନ୍ତା ଓ ଚେତନାରେ ଉେଦ୍ରେକ କରାଇବାରେ ଯେଉଁ ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହା ବିଭାଗକୁ ଅଧିକକ୍ରିୟାଶୀଳ କରାଇବା ସହିତ କର୍ମଚାରୀମାନଙ୍କ ମଧ୍ୟରେ ଏକତା, ସଂହତି ଓ ଭ୍ରାତୃଭାବ ବୃଦ୍ଧି କରାଇବାରେ ସହାୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜଳ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ ଶାସନ ସଚିବ ଶ୍ରୀ ଲମ୍ବୋଦର ପ୍ରଧାନ ଯୋଗଦେଇ କର୍ମଚାରୀମାନଙ୍କର ଏହି ପ୍ରୟାସ ବିଭାଗରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉତମ ବାତାବରଣ ସୃଷ୍ଟି କରିବା ସହିତ କାର୍ଯ୍ୟକ୍ଷେତ୍ରରେ ଦିଗ୍‌ଦର୍ଶନ ଦେବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ କେଶବ ଚନ୍ଦ୍ର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ପରିଷଦ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା, ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯିବା ଆଦି କାର୍ଯ୍ୟ କରି ସମସ୍ତଙ୍କୁ ଖୁସି ରଖିବାର ପ୍ରୟାସ କରିଆସିଛି ଓ କର୍ମଚାରୀମାନଙ୍କ ମଧ୍ୟରେ ଥିବା କଳା ନୈପୁଣ୍ୟକୁ ଉପସ୍ଥାପିତ କରିବାର ସୁଯୋଗ ଦେଇଛି ବୋଲି ପ୍ରକାଶ କରିଥିଲେ। ପରିଷଦର ସଂପାଦକ ଶ୍ରୀ ହର ପ୍ରସାଦ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରେ ପରିଷଦ ତରଫରୁ କଳାକାରମାନଙ୍କ ଦ୍ବାରା ସଂଗୀତ ଓ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ଉତ୍ସବରେ ଶ୍ରୀ ଶଙ୍କର ତ୍ରିପାଠୀଙ୍କ ରଚିତ ଏବଂ ଦେବାନନ୍ଦ ନାୟକ (ସୋନି)ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏକ ସାମାଜିକ ସଚେତନା ମୂଳକ ନାଟକ ‘ ବସ୍ତ୍ର ହରଣ’ ମଞ୍ଚସ୍ଥ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ଦାସ ଏହି ନାଟକର ନାଟନିର୍ଦ୍ଦେଶକ ତଥା ସ୍ବନାମଧନ୍ୟ ନାଟ୍ୟକାର ଶ୍ରୀ ନାୟକ ଏବଂ ସୁସାହିତ୍ୟିକ ତଥା ଔପନାସିକ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନାଟକାର ବିଭିନ୍ନ ଭୂମିକାରେ ଧନେଶ୍ବର ସାହୁ, ହର ପ୍ରସାଦ ବିଶ୍ବାଳ, ଲଗେନ୍ଦ୍ର ନାଥ ଟୁଡୁ, ନରେଶ କୁମାର ସାହୁ, ହୃଷି ପତି, କେଦାରନାଥ ଜେନା, ତ୍ରିଲୋଚନ ବେହେରା, ବୁଲୁ ବାବୁ, ହଳଧର, ଯସ୍ମିନ୍, ସୋନିକା ପ୍ରଭୃତି ଅଭିନୟ କରିଥିଲେ। ପରିଷଦ ଦ୍ବାରା ଆୟୋଜିତ କ୍ରୀଡା, ସଂଗୀତ,ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓ ନାଟକରେ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତକରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ ପରିଷଦ ପରିଶେଷରେ ପରିଷଦର ତରଫରୁ ପ୍ରକାଶିତ ସ୍ମରଣିକା ‘ ଜଳ ତରଙ୍ଗ’ ଉନ୍ମୋଚନ ହୋଇଥିଲା। ପରିଶେଷରେ ପରିଷଦର ସାଂସ୍କୃତିକ ସଂପାଦକ ଶ୍ରୀ ସୌରଭ ସୋନି ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.