Odisha Link
Bridging the Missing Links in Odisha

ହରିୟାଣା: ବିଜେପି ରାତି ରାତି ୬ସ୍ବାଧୀନ ବିଜୟୀ ପ୍ରାର୍ଥୀଙ୍କୁ ଦିଲ୍ଲୀ ଆଣିଲା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ହରିୟାଣା ବିଧାନସଭା ଫଳାଫଳକୁ ନେଇ ଚର୍ଚ୍ଚା। କାରଣ ହରିୟାଣାରେ କେଉଁ ଦଳବି ସଂଖ୍ୟା ଗରିଷ୍ଠତା ହାସଲ କରି ପାରିନାହାନ୍ତି। ଭାରତୀୟ ଜନତା ପାର୍ଟି ହରିୟାଣାରେ ସରକାର ଗଢ଼ିବାକୁ ହେଲେ ବିଜେପିକୁ ଆଉ ୬ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ବିଜେପି ସାଂସଦ ସୁନୀତା ଦୁଗ୍ଗଲ ୬ ସ୍ବାଧୀନ ବିଜୟୀ ପ୍ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନ ଯୋଗେ ଦିଲ୍ଲୀ ଆଣିଥିବା ସୂଚନା ରହିଛି।

ତେଣୁ ବିଜେପି ପାଖରେ ସରକାର ଗଢ଼ିବା ପାଇଁ ଔପଚାରିକ ଭାବରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ମିଳିଯାଇଛି। ସ୍ଥିର ସରକାର ଦେବା ପାଇଁ ଜେଜେପିର ୧୦ ବିଜୟୀ ବିଧାୟକଙ୍କ ସହ ବିଜେପି ନେତା ଆଲୋଚନା କରୁଥିବା ସୂଚନା ରହିଛି। ଅନ୍ୟପଟେ ଆଜି ସକାଳେ ହରିଆଣାରୁ ଦିଲ୍ଲୀ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଏବଂ ହରିଆଣା ପ୍ରଭାରୀ ଅନୀଲ ଜୈନଙ୍କୁ ଭେଟିବେ ମନୋହର ଲାଲ ଖଟ୍ଟର। ଏହି ଭେଟଘାଟ ବେଳେ ସରକାର ଗଢ଼ିବାର ରଣନୀତି ଦେଖାଇବେ ଖଟ୍ଟର।

ସୂଚନାଯୋଗ୍ୟ, ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ଟି ଆସନର ଆବଶ୍ୟକ ରହିଛି। ୬ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀ ବିଜେପି ନେତାଙ୍କୁ ସମର୍ଥନ କରିବେ ବୋଲି ସୂଚନା ରହିଛି।

Comments are closed.