ନିଆରା ଢଙ୍ଗରେ ପାଳିଲେ ଦୀପାବଳି
ଭୁବନେଶ୍ବର: ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳିରେ ବାଣ ନଫୁଟାଇ ବରଂ ସେଇ ବାଣ ଫୁଟା ପଇସାରୁ କାଟି ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଦୀପାବଳି ପାଳନ କରିଛନ୍ତି ବାଣୀବିହାର ଏବଂ ରେଭେନସାର ପୂର୍ବତନ ଛାତ୍ରଛାତୀମାନେ। ଏହି ଡାବୁଗାଁରେ ଥିବା ଶ୍ରୀଜଗନ୍ନାଥ ଅନ୍ଧ, ମୂକ ବଧିର ବିଦ୍ୟାଳୟର ପ୍ରାୟ ୩୫ ଜଣ ପିଲାମାନଙ୍କୁ ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ଅନେକ ଉପକରଣ ପ୍ରଦାନ କରିଥିଲେ।
ନିଜ ଭିତରେ ଆଦାୟ କରିଥିବା ୩୫,୦୦୦ ଟଙ୍କାରେ ଏହି ପିଲାମାନଙ୍କୁ ଶାଲ, ଚପଲ, ଦରି, ବାଲଟି, ଟ୍ରେ ,ମଗ, ସାବୁନ, ଗ୍ଲାସ, ବିସ୍କୁଟ, ମିଠା, ଚୂଡା, ସୁଜି ପିଆଜ ଆଦି କିଣି କରି ପ୍ରଦାନ କରିଥିଲେ । ନବରଂଗପୁରରେ ଏହି କାର୍ଯ୍ୟକ୍ରମକୁ ୨୦୦୨ ବ୍ୟାଚରେ ପଢୁଥିବା ରମେଶ ପୃଷ୍ଟି ସଂଯୋଜନା କରିଥିବାବେଳେ ବିଭିନ୍ନ ସମୟରେ ଏହି ଦୁଇ ସର୍ବପୁରାତନ ଏବଂ ମହାନ ଶିକ୍ଷାନୁଷ୍ଠାନରୁ ପାଠ ପଢିଥିବା ଛାତ୍ରଛାତ୍ରୀମାନେ ଯଥା, ସୁଧାଂଶୁ ଶେଖର ବେହେରା, ମିତ୍ରଭାନୁ ଦାସ, ଦେବୀ ରାୟ, ସୁବ୍ରତ ଷଢଙ୍ଗୀ, ସତ୍ୟ ସୂତାର ପ୍ରସନ୍ନ ମିଶ୍ର, ଗଣେଶ୍ୱର ପଣ୍ଡା, ମାନସ ସ୍ୱାଇଁ, ବିକାଶ, ପ୍ରିୟବ୍ରତ ଦାସ, ପ୍ରଦ୍ୟୁମ୍ନ ସାମଲ ଆଦି ସହଯୋଗ କରିଥିଲେ ।
ଗତବର୍ଷ ଏହି ଛାତ୍ରଛାତ୍ରୀମାନେ ପ୍ରାୟ ୨୭,୦୦୦ ଟଙ୍କାର ଉପକରଣ ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟକୁ ପ୍ରଦାନ କରିଥିବା ବେଳେ ଏହି ପରି ଆଗାମୀ ପ୍ରତ୍ୟେକ ଦୀପାବଳିରେ ଏହି ପରି ଅନୁଷ୍ଠାନକୁ ସହାୟତା ଜାରି ରହିବ । ଏହି କାର୍ଯ୍ୟକ୍ରମ ସଂପର୍କରେ ସୁଧାଂଶୁ ବେହେରା ମତ ଦେଇ କୁହନ୍ତି ଯେ ଆମେ ସମସ୍ତେ ମିଳିତଭାବେ ଦୀପାବଳି ପାଳନ କରିବାରେ ଅନ୍ୟମାନଙ୍କ ସହ ଠିଆ ହେବାର ଆବଶ୍ୟକତା ରହିଛି । ଆମ ସମାଜରେ ଏକ ବୃହତ ବର୍ଗ ଏବେ ବି ସମାଜରେ ମୌଳିକ ସୁବିଧାରୁ ବଂଚିତ ଥିଲାବେଳେ ସେମାନଙ୍କ ସହ ଠିଆହେବାର ଆବଶ୍ୟକତା ରହିଛିବୋଲି ଆମେ ସମସ୍ତେ ହୃଦୟଙ୍ଗମ କରିବା ଦରକାର । ଏହି ଅବସରରେ ଏହି କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ ଯୋଗାଇଦେଇ ସଫଳତାର ସହ ଶେଷକରିଥିବାରୁ ଏହି ଅଭିଯାନରେ ଭାଗ ନେଇଥିବା ବିଶ୍ୱବିଦ୍ୟାଳୟର ଅନ୍ୟତମ ଛାତ୍ର ରୁଦ୍ର ପ୍ରସନ୍ନ ରଥ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
Comments are closed.