Odisha Link
Bridging the Missing Links in Odisha

ଫେରିଲା ରତ୍ନ ଭଣ୍ଡାର ପ୍ରସଙ୍ଗ: ତେଜିଲା ରାଜନୀତି, ନେତା କହିଲେ ଏମିତି

ଭୁବନେଶ୍ବର: ବହୁ ଦିନର ବ୍ୟବଧାନ ପରେ ପୁଣି ଫେରିଲା ରତ୍ନଭଣ୍ଡାର ପ୍ରସଙ୍ଗ। ଯାହା ପୁଣି ଏବେ ରାଜ୍ୟର ଚର୍ଚ୍ଚିତ ଖବର। ଏ ପ୍ରସଙ୍ଗକୁ ପୁଣି ଉଠେଇଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ। ରତ୍ନଭଣ୍ଡାରର ଅଡ଼ିଟ୍ ହେଉ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲି ଏହାର ଅଳଙ୍କାରର ସଠିକ୍ ଯାଞ୍ଚ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି।

ପୁରୀ ମନ୍ଦିରର ରତ୍ନଭଣ୍ଡାର ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ସହ କୋଟିକୋଟି ଓଡିଆଙ୍କ ଭାବାବେଗ ଜଡିତ ରହିଛି। ୨୦୧୮ ଜୁନ ମାସରେ ରତ୍ନଭଣ୍ଡାର ଚାବି ହଜିବାପରେ ମଧ୍ୟ ଏନେଇ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉ ନଥିବା ଏବଂ ଚାବି ହଜିବା ପରେ ରତ୍ନଭଣ୍ଡାର ଭିତରେ ପ୍ରକୃତରେ ମହାପ୍ରଭୁଙ୍କର ଅଳଙ୍କାର ରହିଛି କି ଏହାର ଯାଞ୍ଚ କରି ପ୍ରକୃତରେ ସୁନା ଗହଣା ସବୁ ସୁରକ୍ଷିତ ଅଛି କି ନାହିଁ ତାହା ଜାଣିବାଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଏହାସହ ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ସଂପର୍କରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା, ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଞ୍ଚ କରାଯାଇ ତାକୁ ସାର୍ବଜନିନ କରିବାକୁ ବି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦାବି କରିଛନ୍ତି। ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ। ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ। ନିର୍ଦ୍ଦିଷ୍ଟ ସମୟସୀମା ଓ ପୁରା ସ୍ୱଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେଉ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି।

ଅପରପକ୍ଷେ, ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଭୁବନେଶ୍ୱର: ରାଜ୍ୟ ସରକାର ଚୁପ ବସିନାହାନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଚିଠି ମିଳିନାହିଁ। ମିଳିଲେ ତର୍ଜମା କରାଯିବ। ରାଜ୍ୟ ସରକାର ଚୁପ ବସିନାହାନ୍ତି। ତଦନ୍ତ କମିଶନ ଗଠନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରା ନଯାଉ। ରତ୍ନଭଣ୍ଡାରରୁ ସମସ୍ତେ ଖାଇ ଗଲେଣି ବୋଧେ ସେଥିପାଇଁ ଗୋଟେ ତଥ୍ୟ ଆସିପାରୁନାହିଁ। ଚାବି ହଜିଛି ଡୁପ୍ଲିକେଟ ଚାବି ଏନେଇ ଚଲେଇଛନ୍ତି ଗୋଟେ। ରତ୍ନଭଣ୍ଡାର ବିଲକୁଲ ଖୋଲିବା ଉଚିତ ନୂହଁ। ନହେଲେ ଯାହା ଅଛି ସବୁ ନେଇ ଯିବେ ବୋଲି କହିଛନ୍ତି ସୁର ରାଉତରାୟ।

Comments are closed.