Odisha Link
Bridging the Missing Links in Odisha

କର୍ଣ୍ଣାଟକ ଭାରତରେ ନଂ ୧, ହେଲେ କେଉଁଥିରେ ଜାଣନ୍ତୁ

ବେଙ୍ଗାଲୁରୁ: ଦିନକୁ ଦିନ ଲାଞ୍ଚ କାରବାର ଠାରୁ ବିଭିନ୍ନ ଦୁର୍ନୀତି ମାମଲା କର୍ଣ୍ଣାଟକାରେ ବଢ଼ିବାରେ ଲାଗିଛି। ବିଶେଷ କରି ୨୦୧୬ ତୁଳନାରେ ୨୦୧୭ରେ କର୍ଣ୍ଣାଟକାରେ ୧୦୦୦% ଦୁର୍ନୀତି ମାମଲା ବୃଦ୍ଧି ପାଇଛି। ସମଗ୍ର ଭାରତ ବର୍ଷରେ ଏଭଳି ଦୁର୍ନୀତି ବୃଦ୍ଧିରେ କର୍ଣ୍ଣାଟକା ନଂ ୧ ସ୍ଥାନରେ ରହିଛି।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ୨୦୧୭ ପାଇଁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ୨୦୧୬ରେ କର୍ଣ୍ଣାଟକାରେ ମାତ୍ର ୨୫ଟି ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ହେଲେ ୨୦୧୭ରେ ଏହି ସଂଖ୍ୟା ୨୮୯ରେ ପହଞ୍ଚିଛି। ଏଥିରେ ଅଧିକାଂଶ ମାମଲା ଲାଞ୍ଚ କାରବାର ପାଇଁ ରୁଜୁ ହୋଇଛି। କିଛି ଲୋକ ଏଥିପାଇଁ ସରକାରୀ କଳକୁ ଦାୟୀ କରୁଥିବା ବେଳେ ଆଉ କିଛି ଲୋକ ୨୦୧୫ରେ ସମଗ୍ର ରାଜ୍ୟରେ ୨୫୯ଟି ମାମଲା ରୁଜୁ ହୋଇଥିବା କହିଛନ୍ତି।

କର୍ଣ୍ଣାଟକା ସମେତ ଦେଶର ୧୧ଟି ରାଜ୍ୟରେ ଦୁର୍ନୀତି ମାମଲା ବୃଦ୍ଧି ପାଇଛି। ସେହିପରି କିଛି କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟରେ ସବୁଠାରୁ କମ ସଂଖ୍ୟକ ଦୁର୍ନୀତି ମାମଲା ଘଟିଥିବାରୁ ଜାତୀୟ ସ୍ତରରେ ଦୁର୍ନୀତି ସଂଖ୍ୟା ହ୍ରାସ ପାଇଛି। ୨୦୧୬ରେ ସମଗ୍ର ଦେଶରେ ଦୁର୍ନୀତି ଜନିତ ମାମଲା ୪,୪୩୯ ଥିବା ବେଳେ ୨୦୧୭ରେ ଏହା ୪,୦୬୨କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ କେରଳରେ ଦୁର୍ନୀତି ମାମଲା ୬୭% ହ୍ରାସ ପାଇଛି।

ସେହିପରି ଦକ୍ଷିଣ ପ୍ରାନ୍ତରେ ଥିବା ୫ ରାଜ୍ୟ କର୍ଣ୍ଣାଟକା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କେରଳ ଓ ତେଲେଙ୍ଗାନାରେ ଦୁର୍ନୀତି ମାମଲା ବୃଦ୍ଧି ଘଟିଛି। ୨୦୧୬ରେ ଏହି ୫ ରାଜ୍ୟରେ ୮୭୮ଟି ମାମଲା ଘଟିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୯୪୨ଟି ମାମଲା ରୁଜୁ ହୋଇଛି।

Comments are closed.