ପିସିସି ସଭାପତି ରହିବାକୁ ଚାହୁଁନାହିଁ: ନିରଞ୍ଜନ

ଭୁବନେଶ୍ବର: ମୋତେ ମୁକ୍ତି ଦିଅ । ମୁଁ ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ। ଏଭଳି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କଂଗ୍ରେସ ନେତାଙ୍କ ମେଳି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ। ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ କରିବି। ଅଯଥାରେ ଏମିତି ମେଳି କରି କଂଗ୍ରେସକୁ ଆଉ ତଳିତଳାନ୍ତ କରନ୍ତୁନି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ। ଏହା କଂଗ୍ରେସ ନେତାଙ୍କ ପୁରୁଣା ରୋଗ। ଯେଉଁମାନେ ପିସିସିରେ ପଦବୀ କି ଟିକେଟ ପାଇନଥିଲେ ସେମାନେ ଏମିତି କରୁଛନ୍ତି। ମୋତେ ପିସିସି ସଭାପତି ପଦବୀରୁ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ। ମୁଁ ଉକ୍ତ ପଦବୀରେ ରହିବାକୁ ଚାହୁଁନାହିଁ। ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କହନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ପ୍ରକାଶ ଯେ, ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ନେତାମାନେ ମେଳି ବାନ୍ଧିଥିଲେ। ଏନେଇ ପାନ୍ଥ ନିବାସରେ ଅନୁଷ୍ଠିତ ବୈଠକରେ ବହୁ ନେତା ଏକାଠି ହୋଇଥିଲେ । ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ ଦାବି କରାଯାଇଥିଲା। କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ କରିଥିଲେ। ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Comments are closed.