Odisha Link
Bridging the Missing Links in Odisha

ଗଞ୍ଜେଇ ଓ ଗପିବା ଲାଗି ମୋବାଇଲ ଦାବିରେ କଏଦୀ କଲେ ଅନଶନ

ବରଗଡ଼ :ବରଗଡ଼ ଉପକାରାଗାରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କିଛି କୁଖ୍ୟାତ ଅପରାଧୀ ଗଞ୍ଜେଇ ପିଇବାକୁ ଦାବି କରି ଅନଶନରେ ବସିବାରୁ ଅନ୍ୟ ଅଢ଼େଇ ଶହ ଅନ୍ତେବାସୀଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଛି।

ସୂଚନା ଅନୁସାରେ, ବର୍ତମାନ ଉପକାରାଗାରରେ ଅଢ଼େଇ ଶହ କଏଦୀ ଅଛନ୍ତି। ସେମାନଙ୍କ ଭିତରେ ୮/୧୦ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଅଛନ୍ତି। ଏହି ହାର୍ଡକୋର୍‌ ଅପରାଧୀମାନେ ବିଭିନ୍ନ ଦାବିରେ ଅନଶନ କରିଥିଲେ। ଏପରିକି କାରାଗାରର ରୋଷେଇ ଘର ବି ବନ୍ଦ କରି ଦେଇଥିଲେ। ଫଳରେ ଅନ୍ୟ କଏଦୀଙ୍କୁ ସକାଳୁ ଜଳଖିଆ କିମ୍ବା ଦିନ ବେଳାର ଖାଦ୍ୟ ମିଳି ନ ଥିଲା। ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଉପକାରାଗାରକୁ ଗଂଜେଇ, ବିଡ଼ି ଏବଂ ଗୁଟ୍‌ଖା ବ୍ୟବହାର କରିବାକୁ ଅନୁମତି ଦେବାକୁ ଅଡ଼ି ବସିଥିଲେ। ଏହାବାଦ୍‌ ମୋବାଇଲ୍‌ରେ ଗପସପ ସୁବିଧା ଏବଂ କୌଣସି ସମୟରେ ପରିବାରବର୍ଗଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଦେବାକୁ ଜିଦ୍‌ କରି ଅନଶନ ଆରମ୍ଭ କରିଥିଲେ। ରୋଷେଇଶାଳ ବନ୍ଦ କରିବା ଯୋଗୁଁ ଅନ୍ୟ କଏଦୀଙ୍କୁ ଉପବାସରେ ରହିବାକୁ ପଡ଼ିଥିଲା। ପରେ ଜିଲ୍ଲା ଜଜ୍‌ ଉପକାରାଗାରକୁ ଆସି ଅନଶନରତ କଏଦୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କଏଦୀମାନେ ଜିଦ୍‌ରେ ଅଟଳ ରହିଥିଲେ। ପରେ ରାତି ସାଢ଼େ ୭ଟାରେ ରନ୍ଧାବଢ଼ା ହୋଇଥିଲା ଏବଂ ସବୁ କଏଦୀ ଖାଇବାକୁ ଯାଇଥିଲେ‌ ବୋଲି ଜେଲର୍‌ ନୀଳିମା କୁଲୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଡିଆଇଜି କାରାଗାର ଅମିୟ ପଟ୍ଟନାୟକ ଏହି ସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି।

Comments are closed.