ହିନ୍ଦୁ ଓ ମୁସଲିମ ସଂଗଠନ ଅଯୋଧ୍ୟା ଶୁଣାଣି ପୂର୍ବରୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କଲେ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ଅଛି। ଏହି ଐତିହାସିକ ରାୟ ଶୁଣାଣି ପରେ ଦେଶରେ ଯେପରି କିଛି ଅଶାନ୍ତି ବାତାବରଣ ସୃଷ୍ଟି ନହେବ ଦୃଷ୍ଟିରେ ରଖି ହିନ୍ଦୁ ଓ ମୁସଲିମ ଧର୍ମର ନେତା ଏବଂ ସଂଗଠନ ଗୁଡ଼ିକ ନିଜ ନିଜର ସଂପ୍ରଦାୟର ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି।
ସମଗ୍ର ଉତ୍ତର ପ୍ରଦେଶର ବରିଷ୍ଠ ମୌଲବୀମାନେ ଆଜି ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ବିଭିନ୍ନ ମସଜିଦ୍ରେ ନିଜ ଧର୍ମର ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା କରି ରଖିବାକୁ ନିବେଦନ କରିଛନ୍ତି। ଯେ କୌଣସି ପରିସ୍ଥିତିରେ ବି ସାଂପ୍ରଦାୟିକ ସଦ୍ଭାବ ନଷ୍ଟ ନ ହୁଏ, ସେ ବିଷୟରେ ସମସ୍ତେ ଗୁରୁତ୍ୱ ଦେବା ଦରକାର ବୋଲି ସେମାନେ ସମସ୍ତଙ୍କୁ ବୁଝାଇଛନ୍ତି।
ଲକ୍ଷ୍ନୌ ଶାହି ଇମାମ ଖାଲିଦ ରସିଦ ଫିରାଙ୍ଗି ମାହାଲି କହିଛନ୍ତି, “ସୁପ୍ରିମକୋର୍ଟ ଜମି ବିବାଦ ସଂକ୍ରାନ୍ତରେ ଯାହା ବି ରୁଲିଂ ଦେବେ, ତାକୁ ଆମେ ସମ୍ମାନ ଦେବା। ରାୟ ପରେ କୌଣସି ପ୍ରକାରର ଉତ୍ସବ କିମ୍ବା ବିକ୍ଷୋଭ କରାଯିବ ନାହିଁ। ଅନ୍ୟ ଧର୍ମର ଲୋକଙ୍କୁ ବାଧିବା ଭଳି କୌଣସି ପ୍ରକାରର ବୟାନବାଜୀ କେହି ବି କରିବେ ନାହିଁ। ଆମକୁ ଯେକୌଣସି ଉପାୟରେ ମଧ୍ୟ ଶାନ୍ତି ପୂର୍ବବତ ଜାରି ରଖିବାକୁ ପଡ଼ିବ।”
ଅନ୍ୟପକ୍ଷରେ ଆରଏସ୍ଏସ୍ ଟ୍ୱିଟ କରି କହିଛି ଯେ “ସୁପ୍ରିମକୋର୍ଟଙ୍କ ରାୟ ଯାହା ସପକ୍ଷରେ ଗଲେ ବି ଏହାକୁ ସମସ୍ତେ ଗ୍ରହଣ କରିବାକୁ ପଡ଼ିବ। ମନରେ କୌଣସି ଦ୍ୱଧା ନ ରଖି ଏହାକୁ ସମ୍ମାନ ଦେବେ। ରାୟ ପରେ ଦେଶର ପରିବେଶ ଯେମିତି ଠିକ୍ ଠାକ ରହିବ, ସେ ଦାୟିତ୍ୱ ସମସ୍ତଙ୍କର। ଅକ୍ଟୋବର ୩ରୁ ୫ ମଧ୍ୟରେ ଦୁଇ ଦିନ ଧରି ହରିଦ୍ୱାରରେ ବୈଠକ ହେବାର ଥିଲା। କିନ୍ତୁ ଏହା ଏବେ ହରିଦ୍ୱାର ବଦଳରେ ଦିଲ୍ଲୀରେ ହେଉଛି। ରାୟ ସମ୍ପର୍କରେ ବିସ୍ତୃତ ଆଲୋଚନା ଏହି ବୈଠକରେ କରାଯିବ।”
Comments are closed.