Odisha Link
Bridging the Missing Links in Odisha

ସାମଗ୍ରିକ ବିକାଶ ହେଉଛି ପ୍ରତ୍ୟେକ ଶିଶୁର ଅଧିକାର : ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ସାମଗ୍ରିକ ବିକାଶ ହେଉଛି ପ୍ରତ୍ୟେକ ଶିଶୁର ଅଧିକାର । ସମ୍ମାନଜନକ ଜୀବନ ବଞ୍ଚିବା ନିମନ୍ତେ ପ୍ରତ୍ୟେକ ଶିଶୁ ନିକଟରେ ବିବିଧ ସୁବିଧା ସୁଯୋଗ ଉପଲକ୍ଷ ହେବା ଦିଗରେ ସରକାର, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ରହିଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉଲ୍ଲେଖ କରିଛନ୍ତି । ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉପରୋକ୍ତ ମର୍ମରେ ଶିଶୁମାନଙ୍କ ଅଧିକାର ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେବା ସହ ଆୟୋଗର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ କିଟ୍‌ କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ପ୍ରତିଷ୍ଠା ଦିବସ ଓ ଦ୍ୱିଦିବସୀୟ କର୍ମଶାଳାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ହେଉଥିବା ଉଦ୍ୟମ ପ୍ରଭାବୀ ହେବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବିଭାଗ ତରଫରୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଗୃହୀତ ଯୋଜନା ଓ ବ୍ୟବସ୍ଥାଗୁଡ଼ିକ ଉପରେ ଆଲୋକ ପାତ କରିବା ସହ ଏ ପରି କାର୍ଯ୍ୟରେ ସରକାରଙ୍କ ସହିତ ନାଗରିକ ସମାଜର ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନିୟମିତ ଭାବେ ପରାମର୍ଶଦାତାଙ୍କ ମାଧ୍ୟମରେ ମାନସିକ ସ୍ତରରେ ଶିଶୁମାନଙ୍କୁ ସମସ୍ୟାମୁକ୍ତ କରିବା ପାଇଁ ବରିଷ୍ଠ ପୋଲିସ୍‌ ପ୍ରଶାସକ ଅରୁଣ ବୋଥ୍ରା ପରାମର୍ଶ ଦେଇଥିଲେ ।
ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇ ବିଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ଉପସ୍ଥାପନ କରିଥିଲେ । ଗତବର୍ଷକ ମଧ୍ୟରେ ଆୟୋଗ ୫୦୦ରୁ ଅଧିକ ଶିଶୁ ଅଧିକାର ସଂପୃକ୍ତ ମାମଲାର ଫଇସଲା କରିଥିବାବେଳେ ଜନଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିଛି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଗୀତା ବେନିଓ୍ୱାଲ୍‌ ଓ ଆକ୍ସନ୍‌ଏଡ୍‌ର କାର୍ଯ୍ୟର୍ବାହୀ ନିର୍ଦ୍ଦେଶକ ସଂଦୀପ ଚାଚ୍ରା ବକ୍ତବ୍ୟ ରଖି ସରକାର ନେଇଥିବା ବିଭିନ୍ନ ପଦକ୍ଷେ ପକୁ ସ୍ୱାଗତ କରିଥିଲେ । ଏହି ଅବସରରେ ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପାଳଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସଞ୍ଚର୍ଦ୍ଧିତ କରାଯାଇଥିଲା । ଉତ୍ତମ ପ୍ରଦର୍ଶନ କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ କଲ୍ୟାଣ ପରିଷଦ ଓ ବାଲ୍ୟବିବାହକୁ ନା କହିଥିବା କିଶୋରୀଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସମବେତ ହୋଇଛନ୍ତି । ଏହି ସମ୍ମିଳନୀ ଆଜି ଉଦ୍‌ଯାପିତ ହେବ ।

Comments are closed.