Odisha Link
Bridging the Missing Links in Odisha

‘ମୋ ବସ୍’: ଟିକେଟ କାଟି ବସ୍‌ରେ ଗଲେ ନବୀନ, ଦେଲେ ଅଟୋଗ୍ରାଫ

ଭୁବନେଶ୍ବର: ‘ମୋ ବସ୍’କୁ ପୂରିଲା ବର୍ଷେ। ବର୍ଷକ ପୂର୍ବେ ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି। ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିଲା ଏହି ଯୋଜନା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ ଆରମ୍ଭର ପ୍ରଥମ ଯାତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ମୋ ବସରେ ଆସିଥିଲେ। ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ୍ କାଟି ବସରେ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଯାତ୍ରା ସମୟରେ କୁନି ପିଲାଙ୍କୁ ଅଟୋଗ୍ରାଫ ଦେବାର ନଜରରେ ଆସିଛନ୍ତି ନବୀନ।

‘ମୋ ବସ’ରୁ ସିଧା ଓହ୍ଲାଇ ଜୟଦେବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନରେ ହେଉଥିବା ‘ମୋ ବସ’ର ପ୍ରଥମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ‘ମୋ ବସ’ର ସଫଳତାକୁ ନେଇ ଭିଡିଓ ଡକ୍ୟୁମେଣ୍ଟାରୀ ପ୍ରଦର୍ଶ୍ରିତ ହୋଇଛି । ଯାହାର କଥା ବସ୍ତୁ ହେଉଛି, ” The way we moved”।

ମୋ ବସ ମାସ୍କଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ମୋ ବସର କର୍ମଚାରୀଙ୍କୁ ଉଚ୍ଚପ୍ରଂଶସା କରିବା ସହିତ ସେମାନଙ୍କୁ ସମ୍ମିନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, କ୍ରୁଟ (CRUT) ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ଓଏସଡ଼ିଏ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଥାଉକି, ଗତବର୍ଷ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ଏହି ମୋ ବସ୍ ଯେଜନା । ଆଉ ଦେଶ ବିଦେଶର ପର୍ଯ୍ୟଟକମାନେ ଏହି ସମୟରେ ଓଡ଼ିଶାକୁ ଆସି ‘ମୋ ବସ୍’ରେ ଯୋଗାଯାଉଥିବା ସେବାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ବିଶେଷ କରି ‘ମୋ ବସ୍’ରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବାରୁ ବସ୍ ଭିତରେ କୌଣସି ଅପରାଧିକ କାର୍ଯ୍ୟାକଳାପକୁ ଏଡ଼ାଇ ହେଉଛି ବର୍ତ୍ତମାନ ସୁଧା ଟ୍ୱିନ୍-ସିଟିରେ ୨୦୦ରୁ ଉଦ୍ଧ୍ୱର୍ ‘ମୋ ବସ୍’ ଗଢୁଛି ଆଉ ଏହା ଯାତ୍ରୀଙ୍କ କ୍ଷେତ୍ରରେ ଅନେକ ସହାୟକ ହେଉଛି ।

Comments are closed.