Odisha Link
Bridging the Missing Links in Odisha

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଦୁଇ ମୃତ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଟୁଳୀ ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ ଆହୋରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ମହିଳା। ମୃତକମାନେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଦୁଃଶାସନ ମଲ୍ଲିକଙ୍କ ପୁଅ ବିକାଶ ଓ ଅନ୍ୟ ଜଣେ ହେଲେ ଯାଜପୁର ଟାଉନସ୍ଥିତ ଚଇନପୁର ଗ୍ରାମର ହାପି ଦାସ। ଗୁରୁତର ଆହତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳ ଦଶମତୀ ଚତରା ଓ ଲକ୍ଷ୍ମୀ ମୁଣ୍ଡା।
ସୂଚନା ଅନୁଯାୟୀ, କଳିଙ୍ଗନଗର ସ୍ଥିତ ଜିନ୍ଦଲ କାରଖାନାରେ ବିକାଶ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ସକାଳେ ବାଇକରେ କାରଖାନାକୁ ଯାଉଥିଲେ। ସେହି ସମୟରେ ଯାତ୍ରା ଦେଖି ହାପି ନିଜ ବାଇକରେ ଦଶମତୀ ଓ ଲକ୍ଷ୍ମୀଙ୍କୁ ବସାଇ ଯାଜପୁର ଟାଉନ ଅଭିମୁଖେ ଯାଉଥିବା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହେବା ସହ ଦଶମତୀ ଓ ଲକ୍ଷ୍ମୀ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକେ ଦୁଇ ମହିଳାଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ କୋରେଇ ଥାନା ଅଧିକାରୀ ରଣଜିତ ମହାନ୍ତି ସ୍ଥାନୀୟ ସାମାଜିକ କର୍ମୀ ରାକେଶକୁମାର ରାଉତଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁଇ ବାଇକକୁ ଜବତ କରିବା ସହ ହାପି ଓ ବିକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Comments are closed.