Odisha Link
Bridging the Missing Links in Odisha

ଭିନ୍ନକ୍ଷମମାନଙ୍କ ମଧ୍ୟରେ ପ୍ରତିଭା ଓ ଯୋଗ୍ୟତାର ଅଭାବ ନାହିଁ: ଅଶୋକ ପଣ୍ଡା

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ମଧ୍ୟରେ ଯୋଗ୍ୟତା ଓ ପ୍ରତିଭାର ଅଭାବ ନାହିଁ। ସେମାନଙ୍କୁ ଚିହ୍ନଟ କରି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଦିଗରେ ବେସରକାରୀ ଅନୁଷ୍ଠାନମାନେ ପ୍ରଯନି ଜାରି ରଖିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାକକ୍ଷରେ ଶାନ୍ତିଧାମ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ଏକ ପ୍ରତିଭା ଚିହ୍ନଟ ଶିବିର ଓ ନିଯୁକ୍ତି ମେଳା ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପଣ୍ଡା ଭିନ୍ନକ୍ଷମ ଓ ବଞ୍ଚିତମାନଙ୍କ ସେବା ହିଁ ପ୍ରକୃତ ଈଶ୍ୱର ଆରାଧନା ବୋଲି ଉଲ୍ଲେଖ କରିଛନ୍ତି। ସରକାରୀ ଚାକିରିରେ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ବେସରକାରୀ ଅନୁଷ୍ଠାନମାନେ ଭିନ୍ନକ୍ଷମମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେଇପାରିବେ ବୋଲି ମନ୍ତ୍ରୀ ଆଶାପ୍ରକଟ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭିନ୍ନକ୍ଷମ ତଥା ଅବହେଳିତମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଜବ୍‌ ପୋର୍ଟାଲ୍‌କୁ ଲୋକାର୍ପିତ କରିଥିଲେ। ସର୍ବଭାରତୀୟ ସଫଟଓ୍ବୟାର କମ୍ପାନୀ ମହାସଂଘର ଉପସଭାପତି ନିରୁପମ୍‌ ଚୌଧୁରୀ, ମୁମ୍ବାଇର ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ସନ୍ତୋଷ କୁମାର ସାହୁ, ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୌଭାଗ୍ୟ ରାଉତରାୟ ମଧ୍ୟ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟରୁ ପ୍ରାୟ ପାଞ୍ଚଶହରୁ ଅଧିକ ନିଯୁକ୍ତି ଆଶାୟୀ ଯୁବକଯୁବତୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ୨୦ଟି ନିଯୁକ୍ତିଦାତା ସଂସ୍ଥା ସେମାନଙ୍କ ପ୍ରତିନିଧିମାନଙ୍କ ଜରିଆରେ ଯୋଗ୍ୟତା ଓ ପ୍ରତିଭା ଭିତ୍ତିରେ ଆଶାୟୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Comments are closed.