Odisha Link
Bridging the Missing Links in Odisha

ବିମୁଦ୍ରିକରଣକୁ ୩ବର୍ଷ: ବିରୋଧୀଙ୍କ ଟାର୍ଗେଟରେ ସରକାର, କହିଲେ ଏପରି..

ନୂଆଦିଲ୍ଲୀ: ଆଜି ହେଉଛି ନଭେମ୍ୱର ୮। ତିନିବର୍ଷ ପୂର୍ବେ ଏହିଦିନ ଦେଶରେ ବିମୁଦ୍ରିକରଣ ଘୋଷଣା ହୋଇଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରିକରଣ ଘୋଷଣା କରିଥିଲେ। ଆଜି ବିମୁଦ୍ରିକରଣକୁ ତିନିବର୍ଷ ପୂରଣ ହୋଇଛି। ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ଦଳ।

ଆଜି ଏ ନେଇ କଂଗ୍ରେସ ସଡ଼କକୁ ଓହ୍ଲାଇ ସରକାର ବିରୋଧରେ ବର୍ଷିଛି। କଂଗ୍ରେସ, ଟିଏମସି, ବିଏସପି, ସମାଜବାଦୀ ପାର୍ଟି ଆଜି କିନ୍ତୁ ସରକାର ବିରୋଧରେ ବର୍ଷିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ‘ବିମୁଦ୍ରିକରଣର ଆତଙ୍କୀ ଆକ୍ରମଣ ଦେଶର ଅର୍ଥବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ବିମୁଦ୍ରିକରଣ ପାଇଁ ଦେଶର ଅନେକ ଛୋଟ ବଡ଼ ବ୍ୟବସାୟୀ ନଷ୍ଟ ହୋଇଯାଇଛି। ବେରୋଜଗାର ମଧ୍ୟ ବଢ଼ିଛି। ସରକାରଙ୍କ ଏହି ପଦକ୍ଷେପ ପାଇଁ ଅନେକ ପ୍ରାଣ ହରାଇଛନ୍ତି। ଯେଉଁମାନେ ବିମୁଦ୍ରିକରଣ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର’।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ସରକାରଙ୍କ ବିମୁଦ୍ରିକରଣ ପଦକ୍ଷେପକୁ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି। ସେହିପରି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି, ବିନା ପ୍ରସ୍ତୁତିରେ ବିମୁଦ୍ରିକରଣ ପଦକ୍ଷେପ ନିଆଯାଇଥିଲା। ଏହା ଅପରିପକ୍ୱର ପରିଚୟ ବୋଲି ମାୟାବତୀ କହିଛନ୍ତି। ଦେଶରେ ଦେଖାଦେଇଥିବା ଅର୍ଥବ୍ୟବସ୍ଥା ପାଇଁ ବିମୁଦ୍ରିକରଣ ଦାୟୀ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିମୁଦ୍ରିକରଣ ପରେ ନକଲି ନୋଟ ପ୍ରଚଳନ ଉପରେ ଅନେକ ମାତ୍ରାରେ ରୋକ୍ ଲାଗିଛି। ଜାତୀୟ ଅପରାଧ ବ୍ୟୁରୋ କହିଛି, ନକଲି ନୋଟ ପ୍ରଚଳନ ରୋକିବାରେ ନୋଟବନ୍ଦୀ ସଫଳ ହୋଇଛି।

Comments are closed.