Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଇସ୍ତଫା ଦେଲେ ଫଡନାଭିସ୍

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍। ରାଜ୍ୟପାଳ ଭଗତ ସିଂ କୌସିୟାରୀଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ଫଡନାଭିସ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଇସ୍ତଫା ପତ୍ର ରାଜ୍ୟପାଳ ଗ୍ରହଣ କରିଛନ୍ତି। ଇସ୍ତଫା ପତ୍ର ଦେବା ସମୟରେ ଫଡନାଭିସ୍‌ଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଥିଲେ।

ଇସ୍ତଫା ଦେବା ପରେ ଫଡ଼ନାଭିସ ଗଣମାଧ୍ୟମକୁ କହିଛନ୍ତି, ମୋତେ ମହାରାଷ୍ଟ୍ର ସେବା କରିବା ପାଇଁ ସୁଯୋଗ ମିଳିଥିଲା। ଏଥିପାଇଁ ମହାରାଷ୍ଟ୍ରବାସୀ, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟାନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଶିବସେନାର ନାଁ ନନେଇ ସ୍ମିତହାସ୍ୟ ପ୍ରକାଶ କରି ସହଯୋଗୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଫଡ଼ନାଭିସ।

ଲୋକସଭା ନିର୍ବାଚନ ବେଳେ ମହାରାଷ୍ଟ୍ରବାସୀ ବିଜେପିକୁ ଅଧିକ ଆସନରେ ବିଜୟୀ କରାଇଥିଲେ। ସେହିଭଳି ବିଧାନସଭା ନିର୍ବାଚନରେ ମଧ୍ୟ ୧୦୫ ଆସନ ସହ ବିଜେପିକୁ ରାଜ୍ୟବାସୀ ଅଧିକ ଆସନରେ ବିଜୟୀ କରାଇଛନ୍ତି। ବିଜେପି ନେତୃତ୍ୱରେ ମେଣ୍ଟ ୧୬୦ରୁ ଅଧିକ ଆସନ ଜିତିଛି ବୋଲି ଫଡ଼ନାଭିସ କହିଛନ୍ତି। ଏହା ତାଙ୍କ ପାଇଁ ବଡ଼ ସଫଳତା ବୋଲି ସେ କହିଛନ୍ତି।

ସେପଟେ ମୁମ୍ବାଇ ମାଲାଡରେ ଥିବା ଶିବସେନା ନେତାଙ୍କ ସୁରକ୍ଷା ବଢ଼ାଇବାକୁ ମୁମ୍ବାଇ ପୋଲିସ କମିଶନରଙ୍କୁ ପାର୍ଟି ପକ୍ଷରୁ ପତ୍ର ଲେଖାଯାଇଛି। ଆସନ୍ତା ନଭେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ହୋଟେଲରେ ରହିବେ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଶରଦ ପାଓ୍ୱାରଙ୍କ କହିବାକଥା କାଳ ବିଳମ୍ୱ ନକରି ଶିବସେନା ଓ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବା ଦରକାର। ସ୍ଥାନୀୟ ଲୋକେ ତାଙ୍କୁ ବହୁମତ ଦେଇଛନ୍ତି ତେଣୁ ସେମାନେ ସରକାର ଗଠନ କରିବା ଦରକାର।

Comments are closed.