ମହାରାଷ୍ଟ୍ର: ଦାବି ପୂରଣ ନହେଲେ ଏହା କରିପାରେ ଶିବସେନା
ମୁମ୍ୱାଇ: ଆଉ ଦିନକ ପରେ ସରିବ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ। ନିର୍ବାଚନ ଫଳାଫଳ ବାହାରିବାର ୧୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେଉଁ ଦଳ ସରକାର ଗଠନ କରି ପାରିନାହନ୍ତି। ରାଜ୍ୟର ଦୁଇ ସହଯୋଗୀ ବିଜେପି ସହ ଯେଉଁ ବିବାଦ ରହିଛି ସେ ବାବଦରେ ଶିବସେନା ବୈଠକ କରୁଛି। ସେନା ଭବନରେ ଦଳର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି। ଯଦି ବିବାଦର ସମାଧାନ ନହୁଏ ତାହେଲେ ଏନଡିଏରୁ ଶିବସେନା ଓହରିଯାଇ ପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଆରଏସଏସ ନେତା ଶମ୍ଭାଜୀ ଭିଣ୍ଡେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଆଜି ଭେଟିଛନ୍ତି। ଦୁଇ ଦଳର ଥିବା ବିବାଦର ସମାଧାନ ପାଇଁ ସେ ମଧ୍ୟସ୍ଥି ସାଜିଥିବା ସୂଚନା ରହିଛି।
ଗତକାଲି ମହାରାଷ୍ଟ୍ରର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ବିବାଦର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ଉଦ୍ଧବଙ୍କୁ ୩ ଥର ଫୋନ୍ କରିଥିବା ସୂଚନା ରହିଛି। ହେଲେ ଉଦ୍ଧବ ଫୋନ୍ ଉଠାଉ ନଥିବା ଜଣାପଡ଼ିଛି।
ଅପରପକ୍ଷେ ଶିବସେନା କହିଛି, ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ପ୍ରୟାସ କରୁଛି। ତେବେ ମୁଖ୍ୟମନ୍ତ୍ରୀ ଆସନ ନେଇ ଆଗକୁ ଲଢ଼େଇ ଜାରି ରହିବ ବୋଲି ଦଳର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି। ଶିବସେନା ଏବେ ୫୦:୫୦ ଫର୍ମୁଲାର ସରକାର ଓ ପାଳି କରି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଲୋଚନା କରିବାକୁ ଚାହୁଁନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି। ଏବେ ଶିବସେନା ତାର ସମସ୍ତ ବିଧାୟକଙ୍କୁ ଏକ ହୋଟେଲରେ ନେଇ ରଖିଛି। ରାଜ୍ୟରେ ବିଜେପିକୁ ସର୍ବାଧିକ ଆସନ ମିଳିଛି। ତେଣୁ ସେ ହିଁ ପ୍ରଥମେ ସରକାର ଗଢ଼ିବା ପାଇଁ ଦାବି କରିବା ଦରକାର ବୋଲି ସଞ୍ଜୟ କହିଛନ୍ତି।
ସୂଚନାଥାଉକି, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।
Comments are closed.