ରାଜ୍ୟର ୩୦ଟି ଜିଲ୍ଲାରେ ଖୋଲିଲା ଓ୍ୱାନ୍ ଷ୍ଟପ୍ ସେଣ୍ଟର-‘ସଖୀ’

ଭୁବନେଶ୍ୱର : ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ଆଇନ ସହାୟତା ଯୋଗାଇଦେବା କ୍ଷେତ୍ରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟକରୁଛି ଓ୍ୱାନ୍ ଷ୍ଟ ପ୍ ସେଣ୍ଟର- ‘ସଖୀ’ । ପର୍ଯ୍ୟାୟକ୍ରମେ ଖୋଲିବା ସହ ଗତକାଲି ବାଲେଶ୍ୱର ଜିଲ୍ଲାରେ ଏବଂ ଆଜି ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ପାଳଙ୍କ ଦ୍ୱାରା ଓ୍ୱାନ୍ଷ୍ଟପ୍ ସେଣ୍ଟର ଉଦ୍ଘାଟିତ ହୋଇଛି । ଏଥି ସହିତ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଓ୍ୱାନ୍ ଷ୍ଟପ୍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ୨୦୧୫ ଅକ୍ଟୋବର ୧ ତାରିଖରେ ପ୍ରଥମ ‘ସଖୀ’ କେନ୍ଦ୍ର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ ପିଟାଲ୍ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।
ପାରିବାରିକ ହିଂସା, ଯୌତୁକ ନିର୍ଯାତନା, ବଳତ୍କାର, ମହିଳା ଚାଲାଣ,ଯୌନ ଉତ୍ପୀଡ଼ନ ଭଳି ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଉଦ୍ଧାର କରାଯାଇ ଏହି ଡାକ୍ତରଖାନାଭିତ୍ତିକ ‘ସଖୀ’ କେନ୍ଦ୍ରଗୁଡ଼ିକରେ ରଖାଯାଇଥାଏ । ଏଠାରେ ପିଡ଼ୀତାଙ୍କୁ ଡାକ୍ତରୀ ଚିକିତ୍ସା, ମାନସିକ ସହାୟତା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଆଇନ ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥାଏ । ହିଂସାର ଶିକାର ହୋଇଥିବା ଯେକୌଣସି ୧୮ ବର୍ଷ ବୟସରୁ କମ ମହିଳା ଓ ବାଳିକା ଏହି ଓ୍ୱାନ୍ ଷ୍ଟପ୍ ସେଣ୍ଟର ଜରିଆରେ ଡାକ୍ତରୀ ସହାୟତା ପାଇବା ସହ ନିକଟସ୍ଥ ଥାନାରେ ଏଫ୍ଆଇଆର୍ ଦାଖଲ କରି ପାରିବେ ।
ସେହିଭଳି ଘରୋଇ ହିଂସା ଆଇନ-୨୦୦୫ ଅନୁଯାୟୀ ପାରିବାରିକ ହିଂସା ରିପୋର୍ଟ ଦାଖଲ କରିବା ଦିଗରେ ସୁରକ୍ଷା ଅଧିକାରୀଙ୍କ ସହାୟତା ନେଇ ପାରିବେ । ଏଠାରେ ମଧ୍ୟ ପିଡ଼ୀତାଙ୍କୁ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ଦିଆଯାଇଥାଏ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଆଶ୍ରୟ ଗୃହଗୁଡ଼ିକ ସହଯୋଗରେ ଆଇନଗତ ସହାୟତା ପ୍ରଦାନ କରାଯାଇଥାଏ । ଉଚ୍ଚଶିକ୍ଷିତ ଏବଂ ଦକ୍ଷ କେନ୍ଦ୍ର ପରିଚାଳକ ତଥା କାଉନ୍ସେଲରମାନଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକରିଥାଏ । ଡାକ୍ତର, ଓକିଲ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ସେବା ପ୍ରଦାନ କରିଥାନ୍ତି ।
ଏହି କେନ୍ଦ୍ରଗୁଡ଼ିକ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆଶ୍ରୟଗୃହ, ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିଥାଏ । ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ଏହି ସେଣ୍ଟର ପରିଦର୍ଶନ କରିବା ସହ ଏହାର ପରିଚାଳନାକୁ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିଥାନ୍ତି । ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ସେଣ୍ଟରଗୁଡ଼ିକୁ ଅଧିକ ସଶକ୍ତ କରିବା ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦିଆଯାଉଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ନିୟମିତ ଭାବେ ଏହି ଓ୍ୱାନ୍ ଷ୍ଟ ପ୍ ସେଣ୍ଟରଗୁଡ଼ିକର ପରିଚାଳନାକୁ ସମୀକ୍ଷା କରିବା ସହ ହିଂସାର ଶିକାର ହୋଇଥିବା ମହିଳାମାନଙ୍କ କ୍ଷେତ୍ରରେ ସମନ୍ୱିତ ପ୍ରକ୍ରିୟାରେ ନିଜ ନିଜ ଜିଲ୍ଲାରେ ଆବଶ୍ୟକୀୟ ସହାୟତା ପାଇବା ପାଇଁ ଓ୍ୱାନ୍ ଷ୍ଟ ପ୍ ସେଣ୍ଟର ଏକ ନିର୍ଭରେଯୋଗ୍ୟ ମାଧ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ।
Comments are closed.