ଅଯୋଧ୍ୟା ରାୟ: ଆସନ୍ତାକାଲି ସକାଳ ସାଢେ ୧୦ରେ ଆସିବ

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଶନିବାର। ଆସିବ ବହୁ ପ୍ରତୀକ୍ଷିତ ଐତିହାସିକ ଅଯୋଧ୍ୟା ମାମଲା ରାୟ। ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ ବୋଲି ଜାତୀୟ ଗଣମାଧ୍ୟମମାନଙ୍କରେ ଖବର ପ୍ରକାଶ ପାଇଛି।
Supreme Court to deliver verdict on Ayodhya matter tomorrow. pic.twitter.com/mfb3hzTNSq
— ANI (@ANI) November 8, 2019
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ। ଏହା ପୂର୍ବରୁ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ଡାଇରେକ୍ଟ ଜେନେରାଲ ପୁଲିସ୍ଙ୍କ ସହ ବୈଠକ କରିଥିଲେ। ଆସନ୍ତା ସପ୍ତାହରେ ରାଜନୀତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାର ରାୟ ଆସିବା ଆଗରୁ ସେ ସୁରକ୍ଷା ବ୍ୟବସ୍ଥା ବାବଦରେ ସୀମକ୍ଷା କରିଥିଲେ। ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବେ ଜଷ୍ଟିସ୍ ରଞ୍ଜନ ଗୋଗୋଇ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସିଜେଆଇଙ୍କ ଚାମ୍ବରରେ ଏହି ବୈଠକ ଆୟୋଜିତ ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଏବଂ ଡିଜିପି ଓମ୍ ପ୍ରକାଶ ସିଂହ ସିଜେଆଇଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ବାବଦରେ କହିଥିଲେ।
ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ରାମଜନ୍ମଭୂମି ଏବଂ ବାବ୍ରି ମସ୍ଜିଦ୍ ବିବାଦର ଶୁଣାଣି ଗତ ଅକ୍ଟୋବର ୧୬ରେ ସରିଥିବାବେଳେ ରାୟ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ୪୦ ଦିନର ମାରାଥନ୍ ଶୁଣାଣି ଚାଲୁ ରହିଥିଲା। ନଭେମ୍ବର ୧୭ରେ ସିଜେଆଇ ଜଷ୍ଟିସ୍ ଗୋଗୋଇ ଅବସର ନେବାର ଥିବାରୁ ଏହା ପୂର୍ବରୁ ରାୟ ଆସିବାର ଅଛି।
Comments are closed.