ଅଯୋଧ୍ୟା ବିବାଦ: ଆରମ୍ଭରୁ ଆଜି ଯାଏଁ…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଜମି ବାବଦ ମାମଲାର ରାୟ ଶୁଣାଣି ହେବ। ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବାବଦ ମାମଲାର ଶୁଣାଣି ପୂର୍ବରୁ ଶେଷ ହୋଇଛି। ଅନେକ ଥର କୋର୍ଟ ବାହାରେ ଏହାର ସମାଧାନ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଏହା ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଦୀର୍ଘ ୪୦ ଦିନ କାଳ ନିୟମିତ ଭାବେ ଶୁଣାଣି କରିବା ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ।
ଅଯୋଧ୍ୟା ବିବାଦର ଆରମ୍ଭରୁ ଆଜି ଯାଏଁ କଣ ରହିଛି ଜାଣନ୍ତୁ:
୧: ୧୫୨୮: ମୋଗଲ ସମ୍ରାଟ ବାବର ଏହି ସ୍ଥାନରେ ଏକ ମସଜିଦ୍ ନିର୍ମାଣ କରିଥିଲେ। ତେବେ ହିନ୍ଦୁମାନେ ଏହାକୁ ରାମ ଜନ୍ମଭୂମି ବୋଲି ଦାବି କରିବା ସହ ଏଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି କହିଥିଲେ।
୨: ୧୮୫୩-୧୯୪୯: ଏହାକୁ ନେଇ ଅନେକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଶେଷରେ ଭାରତକୁ ଶାସନ କରୁଥିବା ବ୍ରିଟିଶରମାନେ ଉକ୍ତ ସ୍ଥାନର ଭିତର ପାର୍ଶ୍ୱକୁ ମୁସଲିମ ଓ ବାହାର ପାର୍ଶ୍ୱକୁ ହିନ୍ଦୁ ଗୋଷ୍ଠୀଙ୍କୁ ଦେଇଥିଲେ।
୩: ୧୯୪୯: ମସଜିଦ୍ ମଧ୍ୟରେ ଭଗବାନ ରାମଙ୍କ ଏକ ମୂର୍ତ୍ତି ଠାବ କରାଯାଇଥିଲା। ଏହାକୁ ନେଇ ମୁସଲିମମାନେ ବିରୋଧ କରିଥିଲେ। ସରକାର ଏହାକୁ ଏକ ବିବାଦୀୟ ଅଞ୍ଚଳ ବୋଲି ଘୋଷଣା କରିବା ସହ ଏହାର ଗେଟ୍ରେ ତାଲା ପକାଇ ଦେଇଥିଲେ।
୪: ୧୯୫୦: ଉକ୍ତ ସ୍ଥାନରେ ପୂଜା କରିବା ପାଇଁ ହିନ୍ଦୁ ପକ୍ଷ ଫୈଜାବାଦ୍ କୋର୍ଟରେ ଆବେଦନ କରିଥିଲେ।
୫: ୧୯୬୧: ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏକ ଆବେଦନ ଦାଖଲ କରି ଉକ୍ତ ସ୍ଥାନର ମାଲିକାନା ପାଇଁ ଦାବି କରିଥିଲା। ଏଥିସହ ଏଠାରେ ଥିବା ମୁର୍ତ୍ତିକୁ ହଟାଇବାକୁ ଦାବି କରିଥିଲା।
୬: ୧୯୮୬: ଜିଲ୍ଲା ଜଜ୍ ଉକ୍ତ ସ୍ଥାନର ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ।
୭: ୧୯୯୨, ଡିସେମ୍ବର୬: କର ସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗି ଦେଇଥିଲେ। ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରାୟ ୨ ହଜାର ହିନ୍ଦୁ ଓ ମୁସଲିମ ପ୍ରାଣ ହରାଇଥିଲେ।
୮: ୨୦୦୧: ମସଜିଦ୍ ଭଙ୍ଗା ଘଟଣାରେ ସଂପୃକ୍ତ ଥିବା ଏଲକେ ଆଡଭାନୀ ଓ କଲ୍ୟାଣ ସିଂହଙ୍କ ସମେତ ୧୩ ଜଣଙ୍କ ନାଁରେ ଲାଗିଥିବା ଚାର୍ଜକୁ ସ୍ୱତନ୍ତ୍ର ଜଜ୍ ରଦ୍ଦ କରିଦେଇଥିଲେ।
୯: ୨୦୦୨: କର ସେବକଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍ରେ ନିଆଁ ଲଗାଯିବାରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା।
୧୦: ୨୦୧୦: ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାର ୨/୩ ଅଂଶକୁ ହିନ୍ଦୁ ପକ୍ଷ ଓ ୧/୩ ଅଞ୍ଚଳକୁ ମୁସଲିମ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
୧୧:୨୦୧୧: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।
୧୨: ୨୦୧୭: କୋର୍ଟ ବାହାରେ ବୁଝାମଣା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ। ଏଥିସହ ବିଜେପି ନେତାଙ୍କ ବିରୋଧରେ ଅପରାଧୀକ ଷଡ଼ଯନ୍ତ୍ର ମାମଲା ଚାଲୁ କରିବାକୁ କହିଥିଲେ।
୧୩: ୨୦୧୮: ୧୯୯୪ ମସିହାରେ ଏକ କୋର୍ଟ କହିଥିଲେ ମସଜିଦ୍ ଇସ୍ଲାମର ଆଭ୍ୟନ୍ତରୀଣ ଅଙ୍ଗ ନୁହେଁ। ଏହାର ସମୀକ୍ଷା କରିବାକୁ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
୧୪: ୨୦୧୯, ମାର୍ଚ୍ଚ ୪: ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏଥିସହ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ।
୧୫: ୨୦୧୯, ଅଗଷ୍ଟ ୧: ମଧ୍ୟସ୍ଥତା ପ୍ୟାନେଲର ରିପୋର୍ଟ ଦାଖଲ।
୧୬: ଅଗଷ୍ଟ ୨: ମଧ୍ୟସ୍ଥତା ପ୍ୟାନେଲ ଆପୋଷ ସମାଧାନ କରିବାରେ ବିଫଳ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ।
୧୭: ଅଗଷ୍ଟ ୬: ସୁପ୍ରିମକୋର୍ଟ ଏହି ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ।
୧୮: ଅକ୍ଟୋବର ୧୬: ସୁପ୍ରିମକୋର୍ଟରେ ଶୁଣାଣି ଶେଷ। ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ।
୧୯: ନଭେମ୍ବର ୯: ଆଜି ସକାଳ ୧୦.୩୦ରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି କରିବେ ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ଦ୍ବାରା ହୋଇଥିବା ଖଣ୍ଡପୀଠ ଆଜି ଏହାର ଶୁଣାଣି କରିବେ।
Comments are closed.