ଆଜି ଗୁରୁ ନାନକ ଜୟନ୍ତୀ
ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମା , ଗାଁରୁ ସହର ଯାଏଁ ସବୁ ଚଳଚଞ୍ଚଳ । ସକାଳୁ ପରମ୍ପରା ଅନୁଯାୟୀ ଡଙ୍ଗା ଭସାଯାଇ ଥାଏ । ତା ସହ ଆଜି ଦିନ ଶିଖ୍ମାନଙ୍କ ପ୍ରଥମ ଗୁରୁ ନାନକ ଦେବ ଜନ୍ମଗ୍ରହଣ କରିଥିଲେ । ଶିଖ୍ ସମ୍ପ୍ରଦାୟ ଏହି ଦିନ ଗୁରୁ ପର୍ବ ଭାବେ ପାଳନ କରନ୍ତି । ଏହିଦିନ ଗୁରୁ ଗ୍ରନ୍ଥ ସାହେବରେ ଉଲ୍ଲିଖିତ ନାନକ ଦେବଙ୍କ ବାଣୀ ପାଠ କରାଯାଏ।
ବିଭିନ୍ନ ଗୁରୁଦ୍ବାର ସହିତ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିର ବି ଦୀପ ଆଲୋକରେ ଉଳ ହୋଇଉଠେ। ଚଳିତ ଥର ୫୫୦ତମ ପ୍ରକାଶ ପର୍ବ ଅବସରରେ କରତାରପୁର କରିଡର ଖୋଲି ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଦୀର୍ଘ ୭୨ବର୍ଷ ପରେ ଏହି କରିଡର ଖୋଲିବା ଦ୍ବାରା ୧୫୦ କିଲୋମିଟରର ଦୂରତା ସାଢେ ଚାରିକିଲୋମିଟର ହୋଇଯାଇଛି। ଏଯାବତ୍ ଅଟ୍ଟାରୀ ସୀମାରୁ ପ୍ରତିବର୍ଷ ପ୍ରାୟ ଆଠ ହଜାର ଶ୍ରଦ୍ଧାଳୁ ଲାହୋର ଦେଇ କରତାରପୁର ସାହିବ ଯାଉଥିଲେ ।
ଏଥିପାଇଁ ୩ଘଣ୍ଟା ପାଖାପାଖି ସମୟ ଲାଗୁଥିଲା। ଏହା ବ୍ୟତୀତ ଡେରାବାବା ନାନକଠାରୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦୂରବୀକ୍ଷଣ ଯନ୍ତ୍ର ଯୋଗେ କରତାରପୁରସ୍ଥିତ ଗୁରୁନାନକଙ୍କ ଦ୍ବାରା ପ୍ରତିଷ୍ଠିତ ଗୁରୁଦ୍ବାର ସାହିବ ଦର୍ଶନ କରୁଥିଲେ । ଏହା ଶିଖ୍ ଧର୍ମାବଲମ୍ବୀଙ୍କର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ। ରେକର୍ଡ ୧୧ମାସ ମଧ୍ୟରେ ଏହି କରିଡର ନିର୍ମାଣ ହୋଇପାରିଛି।
Comments are closed.