Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ସେଇ ୧୦ ଘଣ୍ଟା

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ସରକାର କିଏ ଗଢ଼ିବ ସେ ନେଇ ଏବେବି ଚାଲିଛି ଅଙ୍କକଷା। ଏହାର ମଧ୍ୟରେ ମହାରାଷ୍ଟ୍ର ରାଜନୀତିର ସେଇ ୧୦ ଘଣ୍ଟା। ଯେଉଁଥିରେ ଓଲଟିଗଲା ବାଜି, କ୍ଷମତା।  ପରିଶେଷରେ ନିଜ ଅଙ୍କକଷାରେ ଫସିଗଲା ଶିବସେନା।

ଯେତେ ସମୟ ଗଡ଼ିବା ସହ ମହାରାଷ୍ଟ‌ର ରାଜନୀତିରେ ଦେଖିବାକୁ ମିଳୁଛି ନୂଆ ନୂଆ ଟୁଇଷ୍ଟ। ସବୁ ଦଳର ଦାବି ଅଲଗା, ଆଉ ଆଶା ବି ଅଲଗା। ଗତକାଲି ସୂର୍ଯ୍ୟାସ୍ତ ପୂର୍ବରୁ ଶିବସେନାର ଯିଏ ହେଲେ ମୁଖ୍ୟମନ୍ତ୍ରୀ ପଦରେ ବସିଥାନ୍ତେ। ହେଲେ କଂଗ୍ରେସ ଭାଙ୍ଗିଦେଲା ଶିବସେନାର ସ୍ବପ୍ନ। ଆଉ ଏଥିରେ ରାଜ୍ୟପାଳ ଦେଲେ ପାଓ୍ବାର ଷ୍ଟ୍ରୋକ୍। ରାଜ୍ୟପାଳ ଶିବସେନାକୁ ଅଧିକ ସମୟ ଦେବାକୁ ମନା କରିଦେଲେ।

ଏଭଳି ସ୍ଥିତି ଦେଖାଗଲା ସରକାର ଗଠନ ପାଇଁ ବିଜେପି ମନା କରିବା ପରେ। ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ମହାରାଷ୍ଟ୍ର ରାଜ୍ୟପାଳ। ଆଉ ତା’ ପରଠୁ ଆରମ୍ଭ ହେଲା କ୍ଷମତାର ଖେଳ। ମୁମ୍ବାଇରୁ ଦିଲ୍ଲୀ ଚାଲିଲା ମାରାଥନ୍‌ ବୈଠକ। କଂଗ୍ରେସର ନିଷ୍ପତ୍ତି ଅପେକ୍ଷାରେ ରହିଲା ଏନ୍‌ସିପି। ଏହା ଭିତରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ଭେଟିଲେ ଉଦ୍ଧବ ଠାକ୍‌ରେ। ସମର୍ଥନ ନେଇ ସୋନିଆଙ୍କ ସହ ଫୋନ୍‌ରେ କଥା ହେଲେ। କିନ୍ତୁ ପତା ଖୋଲିଲାନି କଂଗ୍ରେସ। ଶିବସେନାକୁ ସମର୍ଥନ ନେଇ ସ୍ପଷ୍ଟ ବାର୍ତ୍ତା ଦେଲାନି।

ଏହାପରେ ସଂଧ୍ୟାରେ ରାଜଭବନରେ ପହଞ୍ଚିଲେ ଆଦିତ୍ୟ ଠାକ୍‌ରେ। ଲାଗୁଥିଲା, ଯେମିତି ମହାରାଷ୍ଟ୍ର ମହାନାଟକର ପଡ଼ିବ ଅନ୍ତ। ନୂଆ ସରକାର ନେଇ ଯେକୈାଣସି ମୁହୂର୍ତ୍ତରେ ଘୋଷଣା ହେବ। ହେଲେ ସବୁ ବାଜି ଓଲଟିଗଲା। ଶିବସେନା ସମର୍ଥନପତ୍ର ଜମା କରି ନ ପାରିବାରୁ ଏନ୍‌ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଦାବି ରଖିବାକୁ ୨୪ ଘଣ୍ଟା ସମୟ ମାଗିଲା ଏନ୍‌ସିପି। ୧୦ଘଣ୍ଟାର କ୍ଷମତା ଯ଼ୁଦ୍ଧରେ ଫଳାଫଳ ଅମୀମାଂସିତ ରହିଲା।

୩୦ବର୍ଷ ସମ୍ପର୍କ ବାଜିରେ:
ବିଜେପି ଓ ଶିବସେନାକୁ ଜନାଦେଶ ମିଳିଥିଲା। ନିର୍ବାଚନ ଜିତିବା ପରେ ପରସ୍ପରକୁ ଲଡୁ ଖୁଆଇଥିଲେ ବିଜେପି ଓ ଶିବସେନା ନେତା। ହେଲେ କ୍ଷମତା ନିଶା ସବୁ ଓଲଟପାଲଟ କରିଦେଲା। ପରସ୍ପର ବିରୋଧରେ ଠିଆ ହେଲେ ଦୁଇ ଦଳ। ଦେବେନ୍ଦ୍ର ଫଡ୍‌ନାବିସଙ୍କ ସିଂହାସନକୁ ବେଶ୍‌ ହାଲ୍‌କାରେ ଖସାଇ ନେଲେ ଉଦ୍ଧବ ଠାକ୍‌ରେ। ଭାଙ୍ଗିଲା ୩୦ ବର୍ଷର ସଂପର୍କ। କେନ୍ଦ୍ର ମନ୍ତ୍ରିପଦ ଛାଡ଼ିଲେ ଶିବସେନା ନେତା ଅରବିନ୍ଦ ସାଓ୍ୱନ୍ତ।

Comments are closed.