ଘର ବନେଇବା ହେବ ମହଙ୍ଗା
ଭୁବନେଶ୍ବର : ଆପଣ ଘର ତିଆରୁ କରୁଛନ୍ତି କି ? ଘର ତିଆରି କରିବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାନ୍ତି । ସେଥିନିମନ୍ତେ ଛଡ ଆଉ ସିମେଣ୍ଟର ହିସାବ ମଧ୍ୟ କରନ୍ତ । ହେଲେ ଏବେ ନିଜର ସ୍ବପ୍ନର ଘର ତିଆରି କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ।
ଘର ତିଆରିରେ ବ୍ୟବହାର ହେଉଥିବା ରଡ୍ ଓ ସିମେଣ୍ଟ୍ ଦର ବଢ଼ିବାରେ ଲାଗିଛି । ଇସ୍ପାତ କଂପାନିଗୁଡ଼ିକ ଫ୍ଲାଟ୍ ଇସ୍ପାତର ଟନ୍ ପିଛା ଦରରେ ୫୦୦-୭୫୦ ଟଙ୍କାର ବୃଦ୍ଧି ଓ ଲମ୍ବା ଇସ୍ପାତ ସାମଗ୍ରୀ ଦରରେ ୧୦୦୦ ଟଙ୍କା ଭଳି ବଡ଼ ଧରଣର ବୃଦ୍ଧି ହୋଇଛି । ସାତ ମାସ ପରେ ନିର୍ମାଣ କାର୍ଯ୍ୟରେ ଲାଗୁଥିବା ଇସ୍ପାତ ଦାମ୍ ବଢ଼ିଛି।
ଖାଲି ସେତିକି ନୁହେଁ ସିମେଣ୍ଟର ଦାମ ମଧ୍ୟ ବୃଦ୍ଧି ହୋଇଛି। ଦକ୍ଷିଣ ଭାରତର କିଛି ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସବୁ ଆଡ଼େ ସିମେଣ୍ଟ୍ ଦାମ୍ ବଢ଼ିଛି । ଗୁଜରାଟ, ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ ଓ ପୂର୍ବ ଭାରତର କେତେକ ରାଜ୍ୟରେ ସିମେଣ୍ଟ୍ ଦାମ୍ ବଢ଼ିଛି। ଦକ୍ଷିଣ ଭାରତରେ ଯଦିଓ ଅନେକ ଅଞ୍ଚଳରେ ସିମେଣ୍ଟ୍ ଦାମ୍ କମିଛି, ମାତ୍ର ଚେନ୍ନାଇ, ବାଙ୍ଗାଲୋର ଓ କୋଚି ଭଳି ସହରରେ ଏହାର ଦାମ୍ ବଢ଼ିଛି। ଦକ୍ଷିଣ ଭାରତ ତୁଳନାରେ ଉତ୍ତର, ପୂର୍ବ ଏବଂ ପଶ୍ଚିମ ଭାରତରେ ଅଧିକ ସିମେଣ୍ଟ୍ ବିକ୍ରି ହେଉଛି ।
ଉତ୍ତର ଭାରତରେ ସିମେଣ୍ଟ୍ ଦାମ୍ ବସ୍ତା ପିଛା ୫ ଟଙ୍କା ବୃଦ୍ଧି ପାଇ ୩୨୫-୩୩୫ ଟଙ୍କା ସ୍ତରରେ ପହଞ୍ଚିଛି । ଘର ନିର୍ମାଣ କରିବା ଲାଗି ଲୋକମାନେ ଅଧିକ ସିମେଣ୍ଟ୍ କିଣୁଛନ୍ତି। ସରକାରୀ ସ୍ତରରେ ସିମେଣ୍ଟ୍ କିଣାକିଣିରେ ଏବେବି ମାନ୍ଦାବସ୍ଥା ରହିଛି । ହାଉସିଂ ଓ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପରିମାଣ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ସିମେଣ୍ଟ୍ ଚାହିଦା ବଢ଼ିଚାଲିବ ବୋଲି ଏମ୍ପି ବିର୍ଲା ସିମେଣ୍ଟ୍ର ସିଇଓ ସନ୍ଦୀପ ଘୋଷ କହିଛନ୍ତି । ଆସନ୍ତା ମାସରେ ସିମେଣ୍ଟ୍ର ବସ୍ତା ପିଛା ଦର ଆଉ ୧୦-୨୦ ଟଙ୍କା ବଢ଼ିବ ବୋଲି କୁହାଯାଉଛି ।
ଟାଟା ଷ୍ଟିଲ୍ର ସିଇଓ ଟିଭି ନରେନ୍ଦ୍ରନ କହିଛନ୍ତି, ଅକ୍ଟୋବର ମଧ୍ୟ ଭାଗ ପରେ ସ୍କ୍ରାପ୍ ଦାମ୍ ବଢ଼ିବା ଆରମ୍ଭ ହୋଇଥିଲା । ତାହାର ପ୍ରଭାବରେ ରିବାର୍ ଏବଂ ସ୍ପଞ୍ଜ୍ ଆଇରନ୍ ଦାମ୍ ବଢ଼ିଛି । ଜେଏସ୍ଡବ୍ଲୁ ଷ୍ଟିଲ୍ର ନିର୍ଦେଶକ (ବାଣିଜ୍ୟ ଓ ବିତରଣ) ଜୟନ୍ତ ଆଚାର୍ଯ୍ୟ କହିଛନ୍ତି, ଇସ୍ପାତ ଦାମ୍ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା । ଆନ୍ତର୍ଜାତିକ ବଜାରରେ ଏବେ ଇସ୍ପାତ ଦାମ୍ରେ ଟନ୍ ପିଛା ୨୫-୩୦ ଡଲାରର ବୃଦ୍ଧି ଦେଖାଦେଇଛି।
Comments are closed.