ଜେଏନୟୁ : ଫି’ ବୃଦ୍ଧି ନିଷ୍ପତ୍ତି ବଦଳିଲା, ଏଣିକି ଏତିକି ଦେବେ
ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଣ୍ଡ ନୁଆଁଇଛନ୍ତି ସରକାର। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି ନେଇଛନ୍ତି।
ଏ ସମ୍ପର୍କରେ ମାନବ ସମ୍ବଳ ମନ୍ତ୍ରଣାଳୟର ଅଧିକାରୀ ଆର ସୁବ୍ରମଣିୟମ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଜେଏନ୍ୟୁ କାର୍ଯ୍ୟନିର୍ବାହୀ କମିଟି ଆଜି ହଷ୍ଟେଲ ଫି’ ଏବଂ ଅନ୍ୟ କିଛି ଫି’ ବାବଦରେ ବ୍ୟାପକ ପରିବର୍ତ୍ତନ କରିଛି। ଏଥିସହ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପାଇଁ ନୂଆ ଯୋଜନା ମଧ୍ୟ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଏବେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ କ୍ଲାସକୁ ଯିବା ଉଚିତ।”
ଫି କେତେ ଥିଲା କେତେ ହେଲା:
-: ପୂର୍ବରୁ ଜେଏନ୍ୟୁର ଗୋଟିକିଆ ରୁମ ପାଇଁ ୨୦ ଟଙ୍କା ଫି’ ଆଦାୟ କରାଯାଉଥିବା ବେଳେ ଏହାକୁ ସରକାର ୬୦୦ ଟଙ୍କା କରିଥିଲେ। ବର୍ତ୍ତମାନ ନୂଆ ଫି’କୁ ୨୦୦ ଟଙ୍କା କରାଯାଇଛି।
-: ଦୁଇ ଜଣ ରହିବା ଭଳି ରୁମ ବାବଦକୁ ୧୦ ଟଙ୍କା ରହିଥିବା ବେଳେ ଏହାକୁ ୩୦୦ ଟଙ୍କା କରାଯାଇଥିଲା। ହେଲେ ଏବେ ଏହାକୁ ୧୦୦ ଟଙ୍କା କରାଯାଇଛି।
-: ମେସ ସିକ୍ୟୁରିଟି ପାଇଁ ପୂର୍ବରୁ ଜଣେ ଶିକ୍ଷାର୍ଥୀଙ୍କ ଠାରୁ ୫,୫୦୦ ଟଙ୍କା ଲେଖାଏ ଆଦାୟ ହେଉଥିଲା। ହେଲେ ନୂଆ ଫି’ ଆଦାୟ ନିଷ୍ପିତ୍ତିରେ ଏହାକୁ ୧୨ ହଜାର କରାଯାଇଥିଲା। ତେବେ ବିରୋଧ ପରେ ସରକାର ପୁଣି ଏହାକୁ ୫,୫୦୦ ଟଙ୍କା କରିଛନ୍ତି।
-:ୟୁଟିଲିଟି ଚାର୍ଜ ବାବଦରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ୁ ନଥିଲା। ତେବେ ନୂଆ ନିୟମ ଅନୁଯାୟୀ, ଏହାକୁ ୧୭ ଶହ ଟଙ୍କା ଲେଖାଏ କରାଯାଇଥିଲା। ବିରୋଧ ସତ୍ତ୍ୱେ ଏହା ପୂର୍ବବତ କାଏମ ରହିଛି।
Comments are closed.