ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଇ ପ୍ରଧାନଶିକ୍ଷକ ନିଲମ୍ବିତ
ହରିଚନ୍ଦନପୁର: ନିଜ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଫୋନକୁ ଅଶ୍ଳୀଳ ମେସଜ ପଠାଇବା ମହଙ୍ଗା ପଡିଛି ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ। ଶେଷରେ ଏହି ଘଟଣା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକ ଶିକ୍ଷାବିଭାଗ ବଡଶିଆଡିମାଳ ଗୋଷ୍ଠୀ ସାଧନ କେନ୍ଦ୍ର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋପୀନାଥପୁରର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତ। ସହକାରୀ ଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟରେ ୨୦୧୮ ରେ କାର୍ଯ୍ୟରେ ଯୋଗଦେବା ପରଠାରୁ ଶିକ୍ଷକ ରମାକାନ୍ତଙ୍କ ଘରେ ଭଡାରେ ରହୁଥିଲେ। ତେବେ କିଛି ମାସ ଗଲାପରେ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ଶିକ୍ଷକ ଜଣଙ୍କ ବିଭିନ୍ନ ଅଶ୍ଳୀଳ ମେସଜ ପଠାଇବା ଆରମ୍ଭ କରିଥିଲେ, ଯାହାକୁ କି ଶିକ୍ଷୟିତ୍ରୀ ଜଣଙ୍କ ବାରଣ କରିଥିଲେ। କିନ୍ତୁ ଶିକ୍ଷକ ଜଣଙ୍କ ଏଥିପ୍ରତି କର୍ଣ୍ଣପାତ ନ କରି ପୁନର୍ବାର ଅଶ୍ଳୀଳ ମେସଜ ପଠାଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଜଣଙ୍କ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକକାରୀଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିବା ସହିତ ଛୁଟି ଦରଖାସ୍ତ ଦେଇ ୧୦ ଦିନ ପାଇଁ ତାଙ୍କ ଘରକୁ ପଳାଇଥିଲେ। ଶିକ୍ଷୟିତ୍ରୀ ଜଣଙ୍କ ୪ ତାରିଖ ତାଙ୍କ ଘରକୁ ପଳାଇବା ପରେ ବ୍ଲକ ଶିକ୍ଷାବିଭାଗର ବିଇଓ ପ୍ରଦୀପ କୁମାର ଚକ୍ର, ଏବିଇଓ ଖଗେଶ୍ବର ମହାନ୍ତ, ଦୁର୍ଯ୍ୟୋଧନ ସେଠୀ, ବିଆରସିସି କାଳନ୍ଦୀ ଚରଣ ଜେନା ପ୍ରମୁଖ ଗୋପିନାଥପୁର ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସି ଜାରି କରିଥିଲେ। କାରଣ ଦର୍ଶାଅ ନୋଟିସର ଉତ୍ତର ପାଇବା ପରେ ସବିଶେଷ ତଥ୍ୟ ସମ୍ବଳିତ ଏକ ରିପୋର୍ଟ ଜିଲ୍ଲା ଶିକ୍ଷାଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ନିକଟକୁ ପଠାଇଥିଲେ। ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବ ଦେଇ ଜିଲ୍ଲା ଶିକ୍ଷାଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଶେଷରେ ଶିକ୍ଷାବିଭାଗ ତରଫରୁ ଶିକ୍ଷକ ରମାକାନ୍ତ ମହାନ୍ତଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ହୋଇଥିଲା।
Comments are closed.