ଆରଟିଆଇ ପରିସରରେ ସିଜେଆଇ, କଣ ରହିଛି ସର୍ତ୍ତ ଜାଣନ୍ତୁ
ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ(ଆରଟିଆଇ) ପରସିର ଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଫିସ। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଛନ୍ତି ଯେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣେ ପବ୍ଲିକ ଅଥୋରିଟି ହୋଇଥିବାରୁ ତାଙ୍କ ଅଫିସ ଅନ୍ୟ ସଂସ୍ଥାଗୁଡ଼ିକ ଭଳି ଆରଟିଆଇ ଅଧୀନରେ ରହିବ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ସିଜେଆଇ ଆରଟିଆଇ ପରିସର ଭୁକ୍ତ ହେବେ କି ନାହିଁର ଶୁଣାଣି ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ହୋଇଥିଲା। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏନ୍ଭି ରମଣ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ରହିଥିଲେ। ସର୍ବସମ୍ମତିକ୍ରମେ ଖଣ୍ଡପୀଠ ଏଣିକି ସିଜେଆଇଙ୍କ ସମ୍ପର୍କରେ ଯେ କୌଣସି ବ୍ୟକ୍ତି ଆରଟିଆଇ ଜରିଆରେ ତଥ୍ୟ ହାସଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଆରଟିଆଇ ପରିସର ଭୁକ୍ତ ହେବା ଉଚିତ ବୋଲିଂ ରୁଲିଂ ଦେଇଥିଲେ।
କଣ ରହିଛି ସର୍ତ୍ତ:
-ସୁପ୍ରିମକୋର୍ଟ ସିଜେଆଇ ଅଫିସକୁ ଆରଟିଆଇ ପରିସରଭୁକ୍ତ କରିଥିଲେ ହେଁ କିଛି ସର୍ତ୍ତ ରଖିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, “ସିଜେଆଇ ଆରଟିଆଇ ପରିସରଭୁକ୍ତ ହେଉଛନ୍ତି ସତ। କିନ୍ତୁ ବିଶ୍ୱସନୀୟତା ଓ ବ୍ୟକ୍ତିଗତ ଗୋପନୀୟତାକୁ ସମସ୍ତେ ସମ୍ମାନ ଦେବେ।
– ଆରଟିଆଇକୁ କେହି କେବେ ହେଲେ ସର୍ଭେଲାନ୍ସ ଭାବେ ବ୍ୟବହାର କରିପାରିବେ ନାହିଁ।
-କଲେଜିୟମ ପଦୋନ୍ନତି ପାଇଁ ସୁପାରିଶ କରିଥିବା ବିଚାରପତିଙ୍କ ନାଁକୁ କେବଳ ସାର୍ବଜନୀନ କରାଯାଇପାରିବ। ହେଲେ ଏହାର କାରଣ କୁହାଯିବ ନାହିଁ।
-ଆରଟିଆଇ ଜରିଆରେ ସିଜେଆଇଙ୍କ ଅଫିସର ତଥ୍ୟ ପାଇଁ ଆବେଦନ ଦାଖଲ ହେଲେ ସୂଚନା କମିଶନର ପ୍ରଥମେ ବିଚାରପତିଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ନ୍ୟାୟପାଳିକାର ସ୍ୱାଧୀନତା ଦୃଷ୍ଟିରୁ ସ୍ୱଚ୍ଛତାର ଆନୁପାତିକ ପରୀକ୍ଷା କରିବେ।
Comments are closed.