ରାଫେଲ ପ୍ରସଙ୍ଗ: ବିଜେପି କହିଲା ସତ୍ୟର ଜୟ ହୋଇଛି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ରାଫେଲ ଡିଲକୁ ନେଇ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ ରାଫେଲ ମାମଲାର ରିଭ୍ୟୁ ପିଟିସନ୍ ସବୁକୁ ଖାରଜ କରିଦେଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ରାଫେଲ ରାୟ ପରେ ବିଜେପି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି, ଏହା ସତ୍ୟର ଜୟ ଏବଂ ମୋଦି ସରକାରଙ୍କ ବୃହତ ବିଜୟ। ଦଳ ପକ୍ଷରୁ ମୁଖପାତ୍ର ଶାହନୱାଜ୍ ହୁସେନ୍ ଏଭଳି ମନ୍ତବ୍ୟ ଦେଇଛନ୍ତି।
ବିଜେପି ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷ କହିଛନ୍ତି, “ସୁପ୍ରିମ୍କୋର୍ଟ ରାଫେଲ୍ ଚୁକ୍ତି ସମ୍ପର୍କିତ ରିଭ୍ୟୁ ପିଟିସନ୍ ଖାରଜ କରିବା ସହ ରାହୁଲ ଗାନ୍ଧିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ସେ ଭବିଷ୍ୟତରେ ଏପରି ନ କହିବାକୁ ମଧ୍ୟ କହିଛନ୍ତି। ଏହା ମୋଦି ସରକାରଙ୍କ ବୃହତ ବିଜୟ।” ଏହି ପ୍ରସଙ୍ଗରେ ମତ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ଏହା ପ୍ରସାନିକ ବ୍ୟବସ୍ଥା ଏବଂ ନିଷ୍ପତ୍ତିରେ ମୋଦି ସରକାରଙ୍କ ସ୍ୱଚ୍ଛତା ଏବଂ ସାଧୁତାରର ପ୍ରତିଫଳନ।
ସେହିଭଳି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ରାୟକୁ ସ୍ୱଗତ କରିଛନ୍ତି। ସେ କହିଛନ୍ତି, “ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି ରାଫେଲ୍ ଚୁକ୍ତି କରାଯାଇଥିଲା। ଭାରତର ପ୍ରତିରକ୍ଷା ବ୍ୟବସ୍ଥାର ବିକାଶକୁ ଲକ୍ଷ୍ୟ ରଖି ଏବଂ ସେହିସମୟର ଆବଶ୍ୟକତା ଭିତ୍ତିରେ ଏହା କରାଯାଇଥିଲା। ଏହା ପ୍ରମାଣିତ କରିଛି ପ୍ରତିରକ୍ଷା ପ୍ରସ୍ତୁତି ଏବଂ ଜାତୀୟ ସୁରକ୍ଷାର ରାଜନୀତିକରଣ କରାଯିବା ଉଚିତ ନୁହେଁ।”
Comments are closed.