Odisha Link
Bridging the Missing Links in Odisha

ରାଫେଲ ଡିଲ୍‌ : ଜାଣନ୍ତୁ ଆରମ୍ଭରୁ ଶେଷ ଯାଏ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ରାଫେଲ ଡିଲ୍‌ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏହି ଡିଲ୍‌ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ବିଜେପିର ନେତୃବୃନ୍ଦ ମଧ୍ୟ କଂଗ୍ରେସକୁ ସୁପ୍ରିମକୋର୍ଟ ରାୟ ପରେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ରାଫେଲ ଯୁଦ୍ଧ ବିମାନ ଡିଲ୍‌ ୟୁପିଏ ସରକାରରୁ ଆରମ୍ଭ ହୋଇଥିବା ବେଳେ ଏନ୍‌ଡିଏ ସରକାରରେ ଶେଷ ହୋଇଛି। ଦୀର୍ଘ ୧୩ ବର୍ଷ ପରେ ରାଫେଲ ଡିଲ ପ୍ରସଙ୍ଗ ଶେଷ ହୋଇଛି।

କିଭଳି ଥିଲା ରାଫେଲ ଡିଲ ଆରମ୍ଭରୁ ଶେଷ ଯାଏ, ଜାଣନ୍ତୁ
୨୦୦୭: ପ୍ରଥମେ ୟୁପିଏ ସରକାର ୧୨୬ଟି ମିଡିୟମ ମଲ୍ଟି ରୋଲ ଯୁଦ୍ଧ ବିମାନ ପାଇଁ ଟେଣ୍ଡର କରିଥିଲେ।
୨୦୧୧: ଭାରତୀୟ ବାୟୁସେନା ରାଫେଲ ଓ ୟୁରୋପୀୟ ଯୁଦ୍ଧ ବିମାନ ଆଣିବାକୁ ଚିଠା ପ୍ରସ୍ତୁତ କରିଥିଲା।

୨୦୧୨: ସବୁଠାରୁ କମ୍‌ ଦାମରେ ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରିବା ପାଇଁ ଡାସଲଟ ଆଭିଏସନ୍‌ ନିଲାମ ଡାକିଥିଲା।
୨୦୧୪: ଏଚ୍‌ଏଏଲ୍‌ ଓ ଡାସଲଟ ମିଳିତ ଭାବେ ୧୦୮ଟି ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଚୁକ୍ତି କରିଥିଲେ।
୨୦୧୫: ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ନୂଆ ଡିଲ୍‌ ସମ୍ପର୍କରେ ଘୋଷଣା କରିଥିଲେ। ଫ୍ରାନ୍ସରୁ ଉଡ଼ାଣ ଅବସ୍ଥାରେ ୩୬ଟି ରାଫେଲ କିଣିବା ପାଇଁ ଭାରତ ସରକାର ଡିଲ୍‌ କରିଥିଲେ।

୨୦୧୬: ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ଇଣ୍ଟର-ଗଭର୍ଣ୍ଣମେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୨୦୧୭: ୟୁପିଏ ସରକାର ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଯେତିକି ଟଙ୍କାରେ ଡିଲ୍‌ କରିଥିଲେ, ତା’ଠାରୁ ଅଧିକ ମୂଲ୍ୟରେ ଏନ୍‌ଡିଏ ସରକାର ରାଫେଲ ପାଇଁ ଚୁକ୍ତି କରିଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ।

୨୦୧୯ ମାର୍ଚ୍ଚ: ୩୬ଟି ଯୁଦ୍ଧ ବିମାନର ଡିଲର ନିରପେକ୍ଷ ତଦନ୍ତ ଓ ସଂସଦରେ ଡିଲ୍ କେତେ ଟଙ୍କାରେ ହୋଇଛି, ତା’ର ତଥ୍ୟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଡିଲ୍‌ କେମିତି ହୋଇଛି ଏବଂ କେତେ ଟଙ୍କାରେ ରାଫେଲ ପାଇଁ ଚୁକ୍ତି ହୋଇଛି, ତା’ର ତଥ୍ୟ ବନ୍ଦ ଲଫାପାରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୧୮ ସେପ୍ଟେମ୍ବର: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ପ୍ରାନସୁଆ ଓଲାଣ୍ଡେ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ, “ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସକୁ ରାଫେଲ ଡିଲ୍‌ର ସର୍ଭିସ ପ୍ରୋଭାଇଡର ଭାବେ ସାମିଲ କରିବାକୁ ଭାରତ ସରକାର ଡାସଲଟ ଉପରେ ଚାପ ପକାଇଥିଲେ।” ତେବେ ଏହାକୁ ଡାସଲଟ ଓ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ।

୨୦୧୮ ଡିସେମ୍ବର ୧୪: ସୁପ୍ରିମକୋର୍ଟ ରାଫେଲ ଡିଲ୍‌ରେ କୌଣସି ଅନିୟମିତତା ହୋଇ ନଥିବା କହିବା ସହ ଏ ସଂକ୍ରାନ୍ତରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ।

୨୦୧୯ ଜାନୁଆରୀ ୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଥିଲେ।

୨୦୧୯ ଫେବୃଆରୀ ୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ “ରାଫେଲ ଡିଲ୍‌ରେ ବାୟୁସେନାର ୩୦ ହଜାର କୋଟି ଟଙ୍କା ଚୋରି କରିବାକୁ ଚୌକିଦାର ନିଜେ ହିଁ ଅନୀଲ ଅମ୍ବାନୀଙ୍କ ପାଇଁ ଦ୍ୱାର ଖୋଲି ଦେଇଥିଲେ।”

୨୦୧୯ ଫେବୃଆରୀ ୧୩: ସିଏଜି ରିପୋର୍ଟରେ ୟୁପିଏ ଠାରୁ ଏନ୍‌ଡିଏ ସରକାର ୨.୮୬% ଶସ୍ତାରେ ରାଫେଲ ଡିଲ୍‌ କରିଥିବା କୁହାଯାଇଥିଲା। କିନ୍ତୁ ମୋଦି ସରକାର ୯% ଶସ୍ତାରେ ଡିଲ୍‌ କରିଥିବା ପୂର୍ବରୁ ଦାବି କରୁଥିଲେ।

୨୦୧୯ ଏପ୍ରିଲ ୧୦: ନୂଆ ଦସ୍ତାବିଜ ଆଧାରରେ ସୁପ୍ରିମକୋର୍ଟ ପୁଣି ରାଫେଲ ଡିଲ୍‌ର ବିଚାର କରିଥିଲେ। ଏହି ସମୟରେ ନୂଆ ଦସ୍ତାବିଜ ଗ୍ରହଣ ନ କରିବାକୁ କେନ୍ଦ୍ର ସରକାର ନିବେଦନ କରିଥିଲେ। ହେଲେ ଏହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଏହାପରେ ରାହୁଲ ଗାନ୍ଧି କହିଥିଲେ “ସୁପ୍ରିମକୋର୍ଟ ଚୌକିଦାର ଚୋର ହୈ ବୋଲି ସ୍ୱୀକାର କରିଛନ୍ତି।” ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

୨୦୧୯ ମେ’୮: ରାହୁଲ ଗାନ୍ଧି ନିଜର ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ।

୨୦୧୯ ମେ’ ୧୦: ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାଫେଲ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

୨୦୧୯ ଅକ୍ଟୋବର ୯: ଭାରତ ପ୍ରଥମ ରାଫେଲ ଯୁଦ୍ଧ ବିମାନ ପାଇଥିଲା। ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଯାଇ ଏହାକୁ ଗ୍ରହଣ କରିଥିଲେ।

୨୦୧୯ ନଭେମ୍ବର ୧୪: ସୁପ୍ରିମକୋର୍ଟ ରାଫେଲ ରିଭ୍ୟୁ ପିଟିସନ ଖାରଜ କରିଥିଲେ।

Comments are closed.