ଏସ୍ଟିଏସ୍ସି ବିଭାଗ ପାଇଁ ଦକ୍ଷତା ବିକାଶ ଉପରେ କର୍ମଶାଳା
ଭୁବନେଶ୍ୱର : ସ୍ଥାନୀୟ ଏକ ହୋଟେଲ୍ରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ସହଯୋଗରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ଦକ୍ଷତା ବିକାଶ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୂଆ ଅନୁଭୂତି, ଦୃଷ୍ଟିକୋଣ ସହ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସହଯୋଗରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ।
ଏହି କର୍ମଶାଳାରେ ଓଏସ୍ଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଯୋଗଦେଇ କହିଲେ ଯେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ଅନ୍ତତଃ ୩୦ଟି ରୋଲ୍ ମଡେଲ୍ ସୃଷ୍ଟି କରିବା ସହ ରାଜ୍ୟସ୍ତରରେ ଏକ ହଜାର ଜଣ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ରୋଲ୍ ମଡେଲ୍ ତିଆରି କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏଥି ନିମନ୍ତେ ଆସନ୍ତା ବର୍ଷ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିିବ ବୋଲି ବାଗ୍ଚୀ କହିଥିଲେ ।
ଦକ୍ଷତା ବିକାଶ କର୍ମଶାଳାରେ ଯୋଗଦେଇ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ବିଭାଗ ଦ୍ୱରା ଦକ୍ଷତା ବିକାଶ ନିମନ୍ତେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋ ପାତ କରିଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗରଯୁବଗୋଷ୍ଠୀଙ୍କ ନିମନ୍ତେ ନିଯୁକ୍ତି ଓ ଔଦ୍ୟୋଗିକତା ଦ୍ୱାରା ସାମାଜିକ, ଅର୍ଥନୈତିକ ଓ ନ୍ୟାୟିକ ସଶକ୍ତିକରଣ ସମ୍ଭବ ।
ସାଂସ୍କୃତିକ ଭାବଧାରା, ଉତ୍ତମ ପରିବେଶ ସୃଷ୍ଟି, ବିଶ୍ୱ ଦୃଷ୍ଟିଭଙ୍ଗୀ, ଦକ୍ଷତା ବିକାଶର ବିଭିନ୍ନ ପଦକ୍ଷେ ପ ଓ ସହଭାଗିତା କାର୍ଯ୍ୟକ୍ରମ ଦ୍ୱାରା ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ଯୁବଗୋଷ୍ଠୀ ସବୁ କ୍ଷେତ୍ରରେ ସଶକ୍ତ ହେବା ନିମନ୍ତେ ଯୋଗ୍ୟ ହୋଇ ପାରିବେ । ଆଉ ମଧ୍ୟ ସେମାନେ ରୋଲ୍ ମଡେଲ୍ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିବେ । ଦକ୍ଷତା ବିକାଶ ଓ ସଶକ୍ତିରକରଣ, ବିଶ୍ୱସ୍ତରୀୟ ଦୃଷ୍ଟିକୋଣ, ଉଚ୍ଚ ଆକାଂକ୍ଷା, ଭୌଗୋଳିକ ଗତିଶୀଳତା, ବଜାର ସୃଷ୍ଟି ଓ ଜୀବନ ଧାରଣର ମାନ ବୃଦ୍ଧି ଦ୍ୱାରା ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ସହଜରେ ହୋଇ ପାରିବ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ ଯୋଗଦେଇ କହିଥିଲେ ଯେ ଦକ୍ଷତା ବିକାଶ ଦ୍ୱାରା ନିଯୁକ୍ତି ସହିତ ଆତ୍ମନିଯୁକ୍ତିର ପଥ ଉନ୍ନୁକ୍ତ ହୋଇ ପାରିବ । ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପାଇ ପାରିବେ । ବର୍ତ୍ତମାନ ଆଇଟିଆଇରେ ୨୦ ହଜାର ସ୍ଥାନ ରହିଛି । ଆଗାମୀ ବର୍ଷରେ ଏହାକୁ ବୃଦ୍ଧି କରାଯାଇ ୩୦ ହଜାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସହିତ ସମନ୍ୱୟ ରକ୍ଷା କରାଯାଇ ଆଦିମ ଜନଜାତି ଗୋଷ୍ଠୀର ଉନ୍ନୟନ ଓ ଦକ୍ଷତା ବିକାଶ ନିମନ୍ତେ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଂ କହିଥିଲେ । ଭିତ୍ତିଭୂମିର ବିକାଶ ଓ ହଷ୍ଟେଲ୍ ସୁବିଧା ସହିତ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ଭଳି ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ଏବଂ ଦକ୍ଷତା ବିକାଶ କେନ୍ଦ୍ରକୁ ତାଲିମ ପାଇବା ନିମନ୍ତେ ଆକୃଷ୍ଟ କରିବା ଦିଗରେ ମଙ୍ଗଳ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ଭୂମିକା ବେଶ୍ ଗୁରୁତ୍ୱ ପୂର୍ଣ୍ଣ ବୋଲି ସିଂ ପ୍ରକାଶ କରିଥିଲେ ।
ନିର୍ଦ୍ଦେଶକ (ଏସ୍ଟି) ସଚିନ୍ ରାମଚନ୍ଦ୍ର ଯାଦବ ଆଇଟିଡିଏ ଓ ଓଏସ୍ଏଫ୍ଡିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଆଲୋକ ପାତ କରିଥିଲେ । ଏହି କର୍ମଶାଳାରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ପାଞ୍ଚଜଣ ରୋଲ୍ ମଡେଲ୍ ହେମନ୍ତ ଟୁଡୁ (ସିଏନ୍ସି ଟର୍ନର), ମୁନି ଟିଗା (ଭାରତୀୟ ରେଳ ବିଭାଗର ଲୋକୋମୋଟିଭ୍ ପାଇଲଟ୍), ରବୀନ୍ଦ୍ରନାଥ କିସ୍କୁ (ଆଇଏମ୍ଏମ୍ଟି ଟେକ୍ନିସିଆନ୍). ସୀତା ବେହେରା (ଓ ପିଟିସିଏଲ୍ର ଟେକ୍ନିସିଆନ୍) ଓ ସୁନାରାମ ଟୁଡୁ (ସିଟିଟିସିର ଫାକଲ୍ଟି) ଯୋଗଦେଇ ସେମାନଙ୍କର ଅଭିଜ୍ଞତା, ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ ।
ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା, ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ତଥା ସିଇଓ, ଓଏସ୍ଡିଏ ରଶ୍ମିତା ପଣ୍ଡା ଓ ଡିଟିଇଟିର ନିର୍ଦ୍ଦେଶକ ରେଘୁଜିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.