Odisha Link
Bridging the Missing Links in Odisha

କେନ୍ଦ୍ର ଦେଲା ଜଳ ନମୁନା ରିପୋର୍ଟ, କେତେ ନମ୍ବରରେ ଭୁବନେଶ୍ବର ଜାଣନ୍ତୁ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଦେଶରର ୨୧ଟି ପ୍ରମୁଖ ସହରର ପାଣିର ନମୁନା ରିପୋର୍ଟ ପ୍ରକାଶ କରିଛନ୍ତି। ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟ ମୁତାବିକ ୨୧ଟି ସହର ମଧ୍ୟରୁ ୫ଟି ସହରର ପାଣି ସର୍ବୋତ୍ତମ ରହିଛି। ଯଥାକ୍ରମେ ମୁମ୍ୱାଇ, ହାଇଦ୍ରାବାଦ, ଭୁବନେଶ୍ୱର, ରାଞ୍ଚି ଏବଂ ରାୟପୁର ସହରର ପାଣି ଭଲ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ମୁତାବିକ ପ୍ରଥମରେ ମାୟାନଗରୀ ମୁମ୍ବାଇବାସୀ ସବୁଠାରୁ ଭଲ ପାଣି ପିଉଛନ୍ତି। ଦ୍ବିତୀୟରେ ହାଇଦ୍ରବାଦ୍‌ ଏବଂ ତୃତୀୟରେ ଭୁବନେଶ୍ବର ବାସୀ ସବୁଠାରୁ ସ୍ବଚ୍ଛ ପାଣି ପିଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଫଳରେ ଜଣାପଡିଛି ଯେ ଭୁବନେଶ୍ୱରବାସୀ ସ୍ୱଚ୍ଛ ପାଣି ପିଉଛନ୍ତି। ଏହାର ମାନ ମଧ୍ୟ ଉତ୍ତମ ରହିଛି।

ଅପରପକ୍ଷେ ପାଣିରେ ପ୍ରଦୂଷଣର ମାତ୍ରା ଅନୁସାରେ ସବୁଠାରୁ ନିମ୍ନ ମାନର ପାଣି ପିଉଛନ୍ତି ରାଜଧାନୀ ଦିଲ୍ଲୀ ବାସିନ୍ଦା। ଅର୍ଥାତ୍ ରିପୋର୍ଟ ଅନୁସାରେ ଦିଲ୍ଲୀରେ ପିଇବା ପାଣି ସବୁଠୁ ଅଧିକ ପ୍ରଦୂଷିତ। ଦିଲ୍ଲୀ ପଛକୁ କୋଲକାତା ଥିବା ବେଳେ ତା ପଛକୁ ଚେନ୍ନାଇ ଓ ଡେରାଡୁନ ଅଛନ୍ତି। ସେହିପରି ପିଇବା ପାଣିରେ ପ୍ରଦୂଷଣ ମାତ୍ରା ଅନୁଯାୟୀ ଏହି ତାଲିକାରେ ଅଛନ୍ତି ଅମରାବତୀ, ଶିମଲା, ଚଣ୍ଡିଗଡ, ତ୍ରିଭେନ୍ଦ୍ରମ, ପାଟନା, ଭୋପାଲ, ଗୁଆହାଟୀ, ବେଙ୍ଗାଲୁରୁ, ଗାନ୍ଧିନଗର, ଲକ୍ଷ୍ନୌ, ଜମ୍ମୁ, ଜୟପୁର ସହର। ଅର୍ଥାତ୍ ପିଇବା ଯୋଗ୍ୟ ନୁହେଁ ବୋଲି କହିପାରିବା। କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (ବିଏସଆଇ) ସାରା ଦେଶରେ ବିଭିନ୍ନ ସହରର ପାଣି ନମୁନା ଏକାଠି କରି ପରୀକ୍ଷା କରିଥିଲା। ଆଜି ପାଶଓ୍ୱାନ ଏହି ରିପୋର୍ଟ ବାବଦରେ ସାର୍ବଜନୀନ କରିଛନ୍ତି। ୧୦ଟି ମାନକ ଭିତ୍ତିରେ ଏହି ପରୀକ୍ଷା ହୋଇଛି।

ଏହି ଅବସରରେ ପାଶଓ୍ୱାନ କହିଛନ୍ତି, ଯେଉଁ ସହରରେ ପାଣି ଖରାପ ମିଳୁଛି ଏଥିପାଇଁ ଆମେ କୌଣସି ରାଜ୍ୟ ସରକାରଙ୍କୁ ଦାୟୀ କରୁନାହୁଁ। ମୋଦି ସରକାରଙ୍କ ଲକ୍ଷ୍ୟ ୨୦୨୪ ସୁଦ୍ଧା ସ୍ୱଚ୍ଛ ପାଣି ପ୍ରତି ଘରେ ପହଞ୍ଚାଇବା। ତେଣୁ ପାଣିର ମାନକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଏହି ପରୀକ୍ଷା କରାଯାଉଛି। ଏ ନେଇ କୌଣସି ରାଜନୀତି ନହେବା ଉଚିତ ବୋଲି ସେ କହିଛନ୍ତି। ଆଗକୁ ମଧ୍ୟ ପାଣିର ମାନ ଉପରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସବୁ ରାଜ୍ୟର ରାଜଧାନୀର ପାଣି, ଦ୍ୱିତୀୟରେ ସ୍ମାର୍ଟ ସିଟିର ପାଣି, ତୃତୀୟରେ ସମସ୍ତ ଜିଲ୍ଲାର ପାଣିକୁ ନେଇ ପରୀକ୍ଷା ହେବ ବୋଲି ରାମ ବିଳାଶ ପାଶଓ୍ୱାନ କହିଛନ୍ତି।

Comments are closed.