Odisha Link
Bridging the Missing Links in Odisha

ବାରବାଟୀ ଦିନିକିଆ: କ୍ରିକେଟ ପ୍ରେମୀଙ୍କୁ ଜିଏସ୍‌ଟି ମାଡ

ଭୁବନେଶ୍ବର: ବହୁ ଦିନର ବ୍ୟବଧାନରେ ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ ଫିଭର। ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ଏଥିପାଇ ଚାଲିଛି ଜୋରଦାର ପ୍ରସ୍ତୁତି। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ କରାଯିବ ସେଥିପାଇଁ ଓସିଏ ସମେତ, କମିଶନରେଟ୍‌ ପୋଲିସ ଓ ବିଭିନ୍ନ ସଂସ୍ଥା ଲାଗିପଡିଛନ୍ତିି।

ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ଅନଲାଇନ ଟିକେଟ୍‌ ବିକ୍ରିହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଅଫ୍‌ଲାଇନ୍‌ ଟିକେଟ୍‌ ଆସନ୍ତା ୧୯ ତାରିଖରୁ ବିକ୍ରି ହେବ। ଏଥର ଦର୍ଶକଙ୍କ ସୁବିଧାକୁ ଦେଖି ଅଧିକରୁ ଅଧିକ ଟିକେଟ୍‌ କାଉଣ୍ଟକ ଖୋଲିବାକୁ ନିଷ୍ପତ୍ତି ହୋଇଛି। ହେଲେ ପ୍ରଥମ ଥର ପାଇଁ ଟିକେଟ୍‌ ଉପରେ ଜିଏସଟି ଲାଗିବାକୁ ଯାଉଛି। ଯାହା ଏବେ ଦର୍ଶକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦୀର୍ଘ ଦିନ ଧରି ଓଡ଼ିଶାର କ୍ରିକେଟପ୍ରେମୀ ଦର୍ଶକ ଅନ୍ତର୍ଜାତୀୟ ମ୍ୟାଚକୁ ଅପେକ୍ଷା କରିଥିବା ବେଳେ ଟିକେଟର ଦର ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି।

ମନେକର ଯଦି ଗ୍ୟାଲେରୀ ଟିକେଟର ମୂଲ୍ୟ ୫୦୦ ଟଙ୍କା ଥାଏ ତେବେ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ। ଫଳରେ ଟିକେଟର ମୂଲ୍ୟ ୫୯୦ ଟଙ୍କାରେ ପହଞ୍ଚିବ। ସେହିପରି ୧୦୦୦ ଟଙ୍କା ଟିକେଟର ମୂଲ୍ୟ ଜିଏସଟି ଲାଗିବା ପରେ ୧୧୮୦ ଟଙ୍କାରେ ବିକ୍ରି ହେବ। ମୋଟ ୪୦ ହଜାର ଟିକେଟ୍‌ ବିକ୍ରି ହେବାକୁ ଧାର୍ଯ୍ୟ ହୋଇଛି। ଯାହା ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଚିନ୍ତାର ବିଷୟ। ଅନଲାଇନ ପାଇଁ ୯ ହଜାର ଟିକେଟ ଓ ଅଫ ଲାଇନରେ ୩୧ ହଜାର ଟିକେଟ୍‌ ବିକ୍ରି ହେବ। ମ୍ୟାଚ ପାଇଁ ଆଜି ଭୁବନେଶ୍ୱର କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Comments are closed.