Odisha Link
Bridging the Missing Links in Odisha

ପାକିସ୍ତାନୀ ହ୍ୟାକର୍‌ ଜାଲରେ ୬ ସରକାରୀ ଓ୍ବେବ୍‌ସାଇଟ୍

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ୬ଟି ଓ୍ବେବ୍‌ସାଇଟ୍‌କୁ ଆଜି ସକାଳୁ ହ୍ୟାକ୍‌ କରି ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି ପାକିସ୍ତାନର ଏକ ହ୍ୟାକର୍‌ ଗୋଷ୍ଠୀ। କୋରାପୁଟ ଅଞ୍ଚଳର ୬ଟି ସରକାରୀ ମହାବିଦ୍ୟାଳୟର ଓ୍ବେବସାଇଟ୍‌କୁ ଟାର୍ଗେଟ୍‌ କରିଛନ୍ତି ପାକିସ୍ତାନର ସାଇବର ଅପରାଧୀ।

ଓ୍ବେସାଇଟ୍‌ଗୁଡ଼ିକ ହେଲା http://gwcjeypore.ac.in (ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର), http://malkangiricollege.ac.in (ମାଲକାନଗିରି ସରକାରୀ କଲେଜ), http://vikramdebcollege.ac.in (ବିକ୍ରମ ଦେବ କଲେଜ, ଜୟପୁର), http://govtcollegekoraput.ac.in (ସରକାରୀ ମହାବିଦ୍ୟାଳୟ, କୋରାପୁଟ), http://jset.edu.in (ଜୟପୁର ସ୍କୁଲ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜି) ଓ http://bdcdabugaon.ac.in (ଭୈରବ ଡିଗ୍ରୀ କଲେଜ, ଡାବୁଗାଁ)।

ଏଯାଏଁ ୩ଟି ଓ୍ବେସାଇଟ୍‌‌କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ହ୍ୟାକରଙ୍କ ଜାଲରେ ଫସିରହିଛି ମାଲକାନଗିରି ମହାବିଦ୍ୟାଳୟ, କୋରାପୁଟ ସରକାରୀ ମହାବିଦ୍ୟାଳୟ ଓ ଜୟପୁର ସ୍କୁଲ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜିର ଓ୍ବେବ୍‌ସାଇଟ୍।

ସାଇବର୍‌ ବିଦ୍ବାନ ପ୍ରଶାନ୍ତ ସାହୁ ଓଡ଼ିଶା ଲିଙ୍କକୁ ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ସମସ୍ତ ୬ ଗୋଟି ଓ୍ବେସାଇଟ୍‌ର କୋଡିଂ ବେଶ୍‌ ଦୁର୍ବଳ। ମୁଖ୍ୟତଃ ଦୁଇଟି ସ୍ତରରେ ହ୍ୟାକିଂ କରାଯାଇଥାଏ; ସର୍ଭର ଲେଭେଲ୍‌ ହ୍ୟାକିଂ ଓ ସାଇଟ୍‌ ଲେଭେଲ୍‌ ହ୍ୟାକିଂ। ଓଡ଼ିଶାର ଏହି ଓ୍ବେବ୍‌ସାଇଟ୍‌ କ୍ଷେତ୍ରରେ ସାିଟ୍‌ ଲେଭେଲ୍‌ ହ୍ୟାକିଂ ହୋଇଛି। ସର୍ଭରରେ କୌଣସି ସମସ୍ୟା ନାହିଁ। ଓ୍ବେବ୍‌ସାିଟ୍‌ ଗଢ଼ିଥିବା ପ୍ରୋଗ୍ରାମର୍‌ ଏସ୍‌କ୍ୟୁଏଲ୍‌ ଇଂଜେକ୍ସନ୍‌ ଏଡ଼ାଇବା ପାଇଁ ଉଚିତ୍‌ କୋଡ୍‌ ଲେଖିବାର ଥିଲା ବୋଲି ଶ୍ରୀ ସାହୁ କହିଛନ୍ତି। ଦୁର୍ବଳ କୋଡିଂର ସୁଯୋଗ ନେଇ ହ୍ୟାକର୍‌ ଗୋଷ୍ଠୀ ଏସବୁ ସାଇଟ୍‌ର ଆଡମିନ୍‌ ସେକ୍ସନ୍‌ରେ ଇନଫେକ୍ଟେଡ୍‌ ପିଏଚ୍‌ପି ଫାଇଲ୍‌ ଛାଡ଼ି ସମଗ୍ର ଓ୍ବେବସାଇଟ୍‌ କଣ୍ଟେଣ୍ଟକୁ ନିଜ କବ୍‌ଜାକୁ ନେଇଛନ୍ତି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମର୍ଥିତ ସୂତ୍ରରୁ ଜଣାଯାଏ, ଏହି ୬ଟି ଓ୍ବେବ୍‌ସାଇଟ୍‌ ଜୟପୁରର ଗୋଟିଏ ସଂସ୍ଥା ଦ୍ବାରା ପ୍ରସ୍ତୁତ ହୋଇଛି ଓ ଗୋଡାଡିରେ ହୋଷ୍ଟିଂ ହୋଇଛି। ହ୍ୟାକିଂ ପଛରେ ପାକିସ୍ତାନୀ ଗୋଷ୍ଟୀର ଉଦ୍ଦେଶ୍ୟ ଜଣାପଡ଼ିନାହିଁ।

Click here to read this news in English

Comments are closed.