ଡିସେମ୍ବରରେ ମହାରାଷ୍ଟ୍ରବାସୀ ନୂଆ ସରକାର ଦେଖିବେ: ସଞ୍ଜୟ
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିକୁ ନେଇ ଲାଗି ରହିଛି ଅନିଶ୍ଚିତତା। କିଏ ସରକାର ଗଠନ କରିବ ସେ ନେଇ ବି ସ୍ଥିତି ସ୍ପଷ୍ଟ ହୋଇନି। ଅପରପକ୍ଷେ ସରକାର ଗଠନରେ ବିଳମ୍ବ ହୋଇ ପାରେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅର୍ଥାତ୍ ଚଳିତ ମାସରେ ଦେଶବାସୀ ମହାରାଷ୍ଟ୍ରରେ ନୂଆ ସରକାର ଦେଖି ପାରିବେ ନାହିଁ। ଶିବସେନା, ଏନ୍ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ବୈଠକ ଜାରି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ ପାଇଁ କୌଣସି ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏପରିକି ଖବର ପ୍ରସାରିତ ହେଉଛି ଯେ, ଚଳିତ ମାସ ଶେଷ ହେବା ଯାଏ ସରକାର ଗଠନ ପାଇଁ କୌଣସି ଚୂଡ଼ାନ୍ତ ଫଇସଲା ହୋଇପାରିବ ନାହିଁ।
ଆଜି ଏ ସମ୍ପର୍କରେ ସଙ୍କେତ ଦେଇ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, “ସରକାର ଗଠନ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଂଗ୍ରେସ-ଏନସିପି-ଶିବସେନା ୫ ବର୍ଷ ପାଇଁ ରାଜ୍ୟରେ ସରକାର ଗଠନ କରିବେ। ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ମହାରାଷ୍ଟ୍ରବାସୀ ଡିସେମ୍ବର ପ୍ରଥମ ସପ୍ତାହରେ ଶିବସେନା ନେତୃତ୍ୱରେ ଗଠନ ହେବାକୁ ଥିବା ନୂଆ ସରକାର ଦେଖିବେ।”
ଶିବସେନା ୫୬,ଏନ୍ସିପି ୫୪ ଓ କଂଗ୍ରେସ ୪୪ଟି ଆସନ ଜିତିଥିଲେ। ଏହି ୩ ଦଳ ମିଳିତ ଭାବେ ୧୫୪ଟି ଆସନ ଜିତିଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ବିଜେପି ଏକାକି ୧୦୫ଟି ଆସନ ଜିତିଥିଲା।
Comments are closed.