Odisha Link
Bridging the Missing Links in Odisha

ପରିଣତ ବୟସରେ ମା’ ଆଖିରେ ଲୁହ ଦେଲେ ପୁଅ-ବୋହୂ

ସୋର : ପିଲାଟିକୁ ଏଦୁନିଆରେ ପରିଚୟ ଦେଇଥାନ୍ତି ବାପା ଆଉ ଧରାପୃଷ୍ଟକୁ ଆଣିଥାଏ ମା’ । ମା’ ଛୋଟରୁ ବଡ କରିବା ସହ ସବୁ ସମୟରେ ଧ୍ୟାନ ଦେଇଥାନ୍ତି । ନିଜ ପେଟକୁ ନଖାଇ ନିଜ ସନ୍ତାନ କଥା ଭାବିଥାନ୍ତି । କିନ୍ତୁ ସନ୍ତାନ ତାଙ୍କ ପରିଣତ ବୟସରେ  ଅଲୋଡା ଭାବି ଏଡାଇ ଦେଇଥାଏ । ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପା ମା’ଙ୍କ ଆଶା ଥାଏ । ବହୁ ପିଲା ବାପାମା’ଙ୍କୁ ପର କରିଦେବା ସହ ହାତ ଇଠେଇବାକୁ ପଛଉନାହାନ୍ତି ।

ସେହିପରି ଏକ ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡ଼ା ଗାଁରେ ଦେଖିବାକୁ ମିଳିଛି । ବୃଦ୍ଧାଙ୍କ ନାଁ ମାଗୁଣି ନାଥ । ତାଙ୍କୁ ୮୦ ବୟସ , ତାଙ୍କର ସାହାରା ବୋଲି ପୁଅ ଓ ବୋହୂ । କିନ୍ତୁ ସେହି ପୁଅ-ବୋହୂ ମାଡ଼ ମାରିବା ଯୋଗୁ ସେ ଘର ଛାଡ଼ି ଏକ ଗଛ ମୂଳେ ଆଶ୍ରୟ ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ମାଗୁଣିଙ୍କ ସ୍ୱାମୀ ଭାରତ ନାଥ ୪୦ ବର୍ଷ ହେବ ଆରପାରିକୁ ଚାଲିଯାଇଛନ୍ତି। ଏବେ ତାଙ୍କର ତିନୋଟି ପୁଅ ଅଛନ୍ତି। ବଡ଼ ଓ ମଝିଆ ପୁଅ ତାଙ୍କ କଥା ବୁଝନ୍ତି ନାହିଁ। ସେ ସାନ ପୁଅ ପ୍ରଫୁଲ୍ଲ ଓ ବୋହୂ ଜୟନ୍ତୀଙ୍କ ପାଖରେ ରୁହନ୍ତି। ତେବେ ତାଙ୍କ ସାନ ପୁଅ ବୋହୂ ତାଙ୍କୁ ଖାଇବାକୁ ନଦେଇ ମାଡ଼ି ମାରୁଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ସେ ପାଉଥିବା ଭତ୍ତା ଟଙ୍କା ପୁଅବୋହୂ ନେଇଯାଆନ୍ତି। ଏବେ ମାଗୁଣି ୬ ଦିନ ହେବ ଘର ଛାଡ଼ି ଏକ ଗଛ ମୂଳେ ରହୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଦେଖିବା ପରେ ୧୦୮ ଆମ୍ୱୁଲାନ୍ସ ଯୋଗେ ଗତକାଲି ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମାଗୁଣି ନାଥ କହିଛନ୍ତି, “ସାନ ପୁଅବୋହୂ ଖାଇବାକୁ ଦେଉ ନାହାନ୍ତି। ମୋତେ ମାରୁଛନ୍ତି ଓ ଅଭଦ୍ର ଭାଷାରେ ଗାଳି କରୁଛନ୍ତି। ତେଣୁ ମୁଁ ହେବ ଘର ଛାଡ଼ି ପଳାଇ ଆସିଲି।”
ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ କହିଛନ୍ତି, “ବୃଦ୍ଧାଙ୍କୁ ତାଙ୍କ ପୁଅ ବୋହୂ ମାଡ଼ି ମାରିଥିବା ସେ କହୁଛନ୍ତି। ଡାକ୍ତରଖାନା ଆସିଲା ବେଳକୁ ତାଙ୍କ ଶରୀରରେ ଆଘାତ ଚିହ୍ନ ରହିଥିଲା। ଡାକ୍ତରଖାନା ପକ୍ଷରୁ ତାଙ୍କୁ ଚିକିତ୍ସା କରାଯାଉଛି। ଏବେ ସେ ସୁସ୍ଥ ଅଛନ୍ତି।”

Comments are closed.