Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଛିଣ୍ଡୁନି ଅଙ୍କ, କାଲି ପୁଣି କଂଗ୍ରେସ-ଏନସିପି ବୈଠକ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏବେ ଆଉ ଏକ ଟ୍ବିଷ୍ଟ। ମେଣ୍ଟ ସରକାର ଗଠନକୁ ନେଇ ଘନଘନ ବୈଠକ ବସୁଥିଲେ ମଧ୍ୟ ଶିବସେନା ସହ ହାତ ମିଳାଇବା ପାଇଁ ଏପର୍ଯ୍ୟନ୍ତ କଂଗ୍ରେସ ଓ ଏନ୍‌ସିପି ମଞ୍ଜୁରୀ ଦେଉନାହାନ୍ତି। ଫଳରେ ଶିବସେନା ଏବେ ସରକାର ଗଠନକୁ ନେଇ ଦୋ ଛକିରେ ରହିଛି।

ସୋମବାର ଦିନ ସୋନିଆ ଗାନ୍ଧି ଓ ଏନସିପି ମୁଖ୍ୟ ଶରଦ ପାୱାର ବୈଠକ କରିଥିଲେ। ହେଲେ ସେତିକିରେ କିଛି ହୋଇ ପାରିନଥିଲା। ଶରଦ ପାୱାର ମେଣ୍ଟ ସପକ୍ଷରେ ଥିଲେ ହେଁ ସୋନିଆ ଏଥିରେ ଟିକିଏ ପଛଘୁଞ୍ଚା ଦେଉଛନ୍ତି। ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କର୍ଣ୍ଣାଟକା ଭଳି ସ୍ଥିତିକୁ ମୁଣ୍ଡରେ ରଖିବା ଦରକାର ବୋଲି ସେ କୁଆଡ଼େ ଶରଦ ପାୱାରଙ୍କୁ କହିଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ସୋନିଆଙ୍କ ସହ ବୈଠକ ପରେ ମେଣ୍ଟ ପୂର୍ବରୁ ଆଲୋଚନା ଆହୁରି ଆବଶ୍ୟକ ବୋଲି ଶରଦ ପାୱାର କହିଥିଲେ। ଏଥିସହିତ ସୋମବାର ଦିନ ପାଓ୍ବାର କହିଥିଲେ ଯେ, ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ତେଣୁ ଶରଦ ପାଓ୍ବାରଙ୍କ ବୟାନ ଏବଂ ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ଓ ଏନ୍‌ସିପି- ଶିବସେନା ସହ ମିଶି ସରକାର ଗଠନ କରିବା ମୁଡରେ ନଥିବା ଚର୍ଚ୍ଚା ହେଉଛି।

ଏସବୁ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତାମାନେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆଲୋଚନା କରିଛନ୍ତି। ସୋନିଆ ଗାନ୍ଧିଙ୍କ ବାସଭବନରେ ଅହମଦ ପଟେଲ, ଏକେ ଆଣ୍ଟୋନି ଓ ମଲ୍ଲିକାର୍ଜୁନ ଖାଡ଼ଗେ ପହଞ୍ଚି ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ଆସନ୍ତାକାଲି ଏନ୍‌ସିପି ଓ କଂଗ୍ରେସ ନେତାମାନେ ଦିଲ୍ଲୀରେ ବୈଠକ କରିବେ। ଏହି ସମୟରେ କମନ ମିନିମମ୍‌ ପ୍ରୋଗ୍ରାମ(ସିଏମପି) ସମ୍ପର୍କରେ ଦୁଇ ଦଳର ନେତାମାନେ ଆଲୋଚନା କରିବେ। ଏହି ବୈଠକରେ କଂଗ୍ରେସ ଓ ଏନ୍‌ସିପର ଉଭୟ ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତାମାନେ ସାମିଲ ହେବେ।

Comments are closed.