Odisha Link
Bridging the Missing Links in Odisha

ପୁଣି ତିନି ତଲାକ୍, ତୃତୀୟ ବିବାହ କଲେ ଯାଜପୁରର ଯୁବକ

ଯାଜପୁର: ସର୍ବୋଚ୍ଚ ନ୍ୟାୟାଳୟ ତିନି ତଲାକ୍‌ ଭଳି କୁତ୍ସିତ ପ୍ରଥାକୁ ଅସିଦ୍ଧ ଘୋଷଣା କରିଥିଲେ ବି ଏହାର ଅପବ୍ୟବହାର ନାରୀ ଶୋଷଣର ଅନ୍ୟତମ ଅସ୍ତ୍ର ଭାବେ ଏବେ ବି ବଳବତ୍ତର ରହିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲିରେ। ତଲାକ୍‌ ଆଳରେ ଜଣେ ଯୁବକ ଦୁଇ ଜଣ ପତ୍ନୀଙ୍କୁ ଛାଡ଼ି ତୃତୀୟ ବିବାହ କରିଥିବା ବେଳେ ତାଙ୍କର ଦ୍ବିତୀୟ ପତ୍ନୀ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।

ମଙ୍ଗଳପୁର ଥାନା ଅଞ୍ଚଳର ସବିନା ବିବି ୨୦୧୭ ମସିହା ଫେବ୍ରୁଆରୀ ୧ ତାରିଖରେ ପାଣିକୋଇଲିର ଲାଲ୍‌ ଖାନ୍‌ଙ୍କ ପୁଅ ଇମ୍ରାନ୍‌ ଇମାମ୍‌ ଖାନ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କୁ ଅତ୍ୟାଚାର ଦିଆଯିବା ସହ ଯୌତୁକ ନିଆଯାଇଥିଲା ବୋଲି ସବିନା ଅଭିଯୋଗ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସବିନା କହିଛନ୍ତି, ଦୁଇ ବର୍ଷ ତଳେ ତାଙ୍କ ସ୍ବାମୀ କାମ ପାଇଁ ସାଉଦି ଆରବ ଯାଇ ସେଠାରୁ ଆଉ ଫେରି ନଥିଲେ। ଏଣେ ଗର୍ଭବତୀ ସବିନା ଶାଶୁଘରର ଅତ୍ୟାଚାର ସହିନପାରି ନିଜ ବାପଘରକୁ ଚାଲି ଆସିଥିଲେ ଓ ସେଠାରେ ପରେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଇମ୍ରାନ୍‌ ପ୍ରଥମେ ନିଜର ମାମୁଁ ଝିଅକୁ ବିବାହ କରିଥିଲେ ଓ ତାଙ୍କୁ ତିନି ତଲାକ୍‌ ଦେଇ ସବିନାଙ୍କୁ ବିବାହ କରିଥିଲେ। ଚଳିତ ମାସରେ ସେ ସାଉଦିରୁ ଫେରି ଅନ୍ୟ ଏକ ମହିଳାଙ୍କୁ ବିବାହ କରିଛନ୍ତି। ନଭେମ୍ବର ୧୦ ତାରିଖରେ କୋରେଇ ଅଞ୍ଚଳରେ ଇମ୍ରାନ୍‌ଙ୍କ ବିବାହ ହେଉଥିବା ଖବରପାଇ ବିବାହ ବନ୍ଦ କରିବା ଲାଗି ସେ ମ‌ଗଳପୁର ଥାନାଧିକାରୀଙ୍କୁ ଅନୁରୋଧ କରିଥିଲେ। ମଙ୍ଗଳପୁର ଥାନାଧିକାରୀ ତାଙ୍କୁ କୋରେଇ ଥାନା ଯିବାକୁ କହି ଫେରାଇ ଦେଇଥିଲେ। କୋରେଇ ପୁଲିସ ମଧ୍ୟ କିଛି କରିପାରିବେ ନାହିଁ ବୋଲି ଶୁଣାଇଦେଲେ। ସେଇଠୁ ସବିନା ବିବାହ ସ୍ଥଳରେ ପହଞ୍ଚି ନିଜ ସ୍ବାମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ତାଙ୍କୁ ତଲାକ ଦେଇ ସାରିଛନ୍ତି ବୋଲି କହି ସବିନାଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ଇମ୍ରାନ୍। ତଲାକ୍‌ ଏବେ ବେଆଇନ୍, ଏଣୁ ଆଇନଗତ ଭାବେ ମୋତେ ଓ ମୋ ପିଲାଙ୍କୁ ଛାଡ଼ିବା ପରେ ତମେ ବିବାହ କରିବ ବୋଲି ସବିନା କହିବାରୁ ଇମ୍ରାନ୍‌ଙ୍କ ସାନଭାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି ସବିନା।

ଇମ୍ରାନ୍‌ଙ୍କ ତୃତୀୟ ବିବାହ ହୋଇ ସାରିଥିବା ବେଳେ ସେ ଏବେ ତାଙ୍କ ନୂଆ ପତ୍ନୀକୁ ଘରକୁ ଆଣିଛନ୍ତି। ଏଣେ ନ୍ୟାୟ ଆଶାରେ ଏସ୍‌ପି କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ସବିନା। ଅତିରିକ୍ତ ଏସ୍‌ପିଙ୍କୁ ଭେଟି ନିଜର ଅଭିଯୋଗ ଜଣାଇ ନ୍ୟାୟ ଅପେକ୍ଷାରେ ଅଛନ୍ତି ସବିନା।

Comments are closed.