ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ସଂହତି ଦିବସ ପାଳିତ
ଭୁବନେଶ୍ବର : ବିବିଧତା ସତ୍ତ୍ବେ ଜାତୀୟ ଏକତା ଓ ସଂହତି ଭାରତୀୟ ଜନଜୀବନର ବିଶେଷତ୍ୱ । ଯୁଦ୍ଧ, ହିଂସା, ସାଂପ୍ରଦାୟିକତା ଓ ଅଶାନ୍ତି ଜାତୀୟ ସଂହତିକୁ ବିପନ୍ନ କରିଥାଏ । ଜାତୀୟ ସଂହତିକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଲୋଡ଼ା ବୋଲି ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ତିଥିକୁ ଜାତୀୟ ସଂହତି ଦିବସ ଭାବରେ ପାଳନ କରାଯାଉଥିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଦାସ ଭାରତର ବିଭିନ୍ନ ପ୍ରଗତି ପର୍ବରେ ସ୍ୱର୍ଗୀୟା ଗାନ୍ଧୀଙ୍କ ଅବଦାନ ରହିଥିବା ଦର୍ଶାଇ ତାଙ୍କର ଦୃଢ଼ ମାନସିକତା, ବଳିଷ୍ଠ ନେତୃତ୍ୱ, ରାଜନୈତିକ ଅଭିଜ୍ଞତା ଓ ପ୍ରଗତିଶୀଳ ଚିନ୍ତାଧାରା ଏବେ ମଧ୍ୟ ପ୍ରେରଣା ପ୍ରଦ ହୋଇରହିଛି ବୋଲି କହିଥିଲେ ।
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଜାତୀୟ ସଂହତିର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । କର୍ତ୍ତବ୍ୟ ସମୟରେ ଧର୍ମର ସ୍ଥାନ ନାହିଁ । ଅଢ଼େଇ ହଜାର ବର୍ଷର ଲିଖିତ ଇତିହାସ ରହିଥିବା ଭାରତର ସଭ୍ୟତା ଓ ସଂସ୍କୃତିରେ ବିଶ୍ୱର ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥା ଆରମ୍ଭରୁ ହିଁ ପୃଥିବୀବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତର ମୁସଲମାନ୍ମାନେ ରହୁଥିବା ରାଜ୍ୟର ଭାଷା ବ୍ୟବହାର କରନ୍ତି ।
ସେହି ପରି ଓଡ଼ିଶାରେ ଧାର୍ମିକ ଓ ସାଂସ୍କୃତିକ ଏକତାର ପର୍ଯ୍ୟାପ୍ତ ଉଦାହରଣ ରହିଥିବା ଦର୍ଶାଇ ପ୍ରଫେସର ମିଶ୍ର ଜାତୀୟ ସଂହତି ବିଷୟକୁ ତୃଣମୂଳ ସ୍ତରରୁ ପାଠ୍ୟକ୍ରମରେ ସ୍ଥାନିତ କରାଯିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ମିଶ୍ର ସ୍ୱର୍ଗୀୟା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଆଲୋକ ପାତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉ ପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସକାଳେ ଅନୁଷ୍ଠିତ ଆନ୍ତତଃ ବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ‘ଉତ୍ତରଙ୍ଗ’ ଅନୁଷ୍ଠାନର ବିରଜା ରଥ ଓ ସାଥୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ତଥା ଭକ୍ତି ସଂଗୀତ ପରିବେଷଣକରାଯାଇଥିଲା ।
Comments are closed.