ଦେଶରେ ବଢ଼ିଚାଲିଛି ପ୍ରେମଜନିତ ହତ୍ୟାକାଣ୍ଡ
ନୂଆଦିଲ୍ଲୀ: ସାରା ବିଶ୍ବରେ ତଥା ଭାରତରେ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନ୍ସିଆରବି ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୦୧ରୁ ୨୦୧୭ ମଧ୍ୟରେ ଦେଶରେ ଘଣିଥିବା ସମସ୍ତ ହତ୍ୟାକାଣ୍ଡ ମଧ୍ୟରୁ ପ୍ରେମ ବା ପରକୀୟା ପ୍ରୀତି ଅଧିକାଂଶ ହତ୍ୟା ପଛର କାରଣ ହୋଇଥିବାର ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୦୧ ଭାରତରେ ସମୁଦାୟ ୩୬,୨୦୨ଟି ହତ୍ୟାକାଣ୍ଡ ଘଟିଥିଲା। କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩କୁ ହ୍ରାସ ଘଟିଛି। ଅର୍ଥାତ୍ ୨୦୦୧ ତୁଳନାରେ ୨୦୧୭ରେ ହତ୍ୟା ମାମଲାରେ ୨୧% ହ୍ରାସ ଘଟିଛି। କିନ୍ତୁ ଇତି ମଧ୍ୟରେ ପ୍ରେମଜନିତ ହତ୍ୟାକାଣ୍ଡ ୨୮% ବଢ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବ୍ୟକ୍ତିଗତ କାରଣ ଏବଂ ସମ୍ପତ୍ତି ଜନିତ କଳହ କାରଣରୁ ଘଟୁଥିବା ହତ୍ୟାକଣ୍ଡ ଘଟଣାରେ ଯଥାକ୍ରମେ ୪.୩% ଏବଂ ୧୨% ହ୍ରାସ ଘଟିଛି। ୨୦୦୧ରୁ ୨୦୧୭ ମଧ୍ୟରେ ବ୍ୟକ୍ତଗତ କାରଣରୁ ମୋଟ ୬୭,୭୭୪ଟି ଏବଂ ସମ୍ପତ୍ତି ଜନିତ ବିବାଦ କାରଣରୁ ମୋଟ ୫୧,୫୫୪ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ପ୍ରେମ ବା ପରକୀୟା ପ୍ରୀତି ଯୋଗୁ ମୋଟ ୪୪,୪୧୨ଟି ହତ୍ୟାକାଣ୍ଡ ଘଟିଛି। ଏଭଳି ଭାବେ ପ୍ରେମ ଦେଶର ହତ୍ୟାର ତୃତୀୟ ବୃହତ୍ କାରଣ ରୂପେ ଉଭା ହୋଇଛି।
ରାଜ୍ୟ ଅନୁଯାୟୀ ଦେଖିବାକୁ ଗଲେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଏବଂ ପଞ୍ଜାବରେ ଘଟିଥିବା ସମସ୍ତ ହତ୍ୟାକାଣ୍ଡ ମଧ୍ୟରୁ ସର୍ବାଧିକ ହତ୍ୟା ପ୍ରେମଜନିତ କାରଣରୁ ହୋଇଛି। ଆନ୍ଧ୍ରପ୍ରଦେଶରେ ଘଟିଥିବା ସମସ୍ତ ହତ୍ୟାକାଣ୍ଡ ମଧ୍ୟରୁ ସର୍ବଧିକ ୩୮୪ ଜଣଙ୍କୁ ପ୍ରେମ କାରଣରୁ ହତ୍ୟା କରାଯାଇଥିବା ବେଳେ ମହାରାଷ୍ଟ୍ର, ଗୁଜରାଟ ଏବଂ ପଞ୍ଜାବରେ ଯଥାକ୍ରମେ ୨୭୭, ୧୫୬ ଏବଂ ୯୮ ଜଣଙ୍କ ହତ୍ୟା ପଛର କାରଣ ରହିଛି ପ୍ରେମ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସର୍ବାଧିକ ୩୯୫ ଜଣ ପ୍ରେମଜନିତ ହତ୍ୟାକାଣ୍ଡ ଶିକାର ହୋଇଥିବା ଜଣାପଡିଛି। ଏଠାରେ ବ୍ୟକ୍ତିଗତ କାରଣରୁ ୫୫୩ ଜଣଙ୍କୁ ହତ୍ୟା କରାଯାଇଛି। ଛତିଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଏବଂ ଆସାମ ଭଳି ରାଜ୍ୟମାନଙ୍କରେ ମଧ୍ୟ ପ୍ରେମଜନିତ ହତ୍ୟା ଘଟଣା ଯଥେଷ୍ଟ ଅଧିକ ରହିଛି।
Comments are closed.