ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍ ମେଳା
ଭୁବନେଶ୍ୱର: ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ଚତୁର୍ଦ୍ଦଶ ତୋଷାଳୀ ମେଳା। ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାର ଯୋଗଦେବାକୁ ଥିବାବେଳେ ପ୍ରାୟ ୪୦୦ ଷ୍ଟଲ୍ ଖୋଲାଯିବାକୁ ସ୍ଥିର ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ଖ୍ୟାତନାମା କାରିଗର ଓ ବୁଣାକାର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଉତ୍ପାଦକୁ ଏଠାରେ ପ୍ରଦର୍ଶନ ସହିତ ବିକ୍ରୟ କରିବେ। ଚତୁର୍ଦ୍ଦଶ ଜାତୀୟ ତୋଷାଳୀ କ୍ରାଫ୍ଟସ୍ ମେଳା ଅୟୋଜନ ନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ବୁଧବାର ଲୋକସେବା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଓଡ଼ିଶା ସହ ଭାରତର ଅନ୍ୟ ରାଜ୍ୟଗୁଡ଼ିକର ଜନଜାତିଙ୍କ କଳା, ସଂସ୍କୃତି ଏବଂ ସେମାନଙ୍କ ସାମଗ୍ରୀକୁ ତୋଷାଳୀ ମେଳାରେ ପ୍ରଦର୍ଶନ କରିବା ନିମନ୍ତେ ଗୁରୁତ୍ୱ ଦେଇଥିଲେ। ଚଳିତବର୍ଷ ମେଳାକୁ ନୂତନ ଓ ସ୍ବତନ୍ତ୍ର ରୂପ ଦେବା ନିମନ୍ତେ ଦିଆନ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଭାଗୀୟ ସଚିବ ଶୁଭା ଶର୍ମା ତୋଷାଳୀ ମେଳାର ଆୟୋଜନ ନିମନ୍ତେ ଗଠିତ ସମସ୍ତ କମିଟିର କାର୍ଯ୍ୟଧାରା ସଂପର୍କରେ ଆଲୋଚନା କରିଥିଲେ। ଚଳିତବର୍ଷ ମେଳା ପରିସରକୁ ପ୍ଲାଷ୍ଟିକ୍ମୁକ୍ତ କରିବା ନିମନ୍ତେ ପ୍ରାଥମିକତା ଦିଆଯିବ। ଏହାସହ ତୋଷାଳୀ ମେଳାରେ ଯେପରି ଜନସାଧାରଣ ଓଡ଼ିଶାର ହଜିଯାଉଥିବା ଲୋକକଳାର ଝଲକ ଦେଖିବାର ସୁଯୋଗ ପାଇବେ ତାହାଉପରେ ଗୁରୁତ୍ୱ ଦିଆଯିବ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଳାର ବିଷୟବସ୍ତୁ ‘ହସ୍ତତନ୍ତ’ ଉପରେ ପର୍ଯ୍ୟବସିତ ହେବ। ଓଡ଼ିଶାର ହସ୍ତତନ୍ତର ସ୍ବତନ୍ତ୍ର କାରିଗରି ଓ ବର୍ତ୍ତମାନର ସମୟକୁ ତାଳଦେଇ ହସ୍ତତନ୍ତ ପ୍ରସ୍ତୁତ ଆଧୁନିକ ପରିଧାନ ସହ ମଡେଲ୍ମାନଙ୍କୁ ମଞ୍ଚରେ ଦେଖିବାକୁ ମିଳିବ। ପ୍ରସ୍ତୁତି ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ, ଉତ୍କଳିକା ଏମ୍.ଡି ଅନୁଜ ଦାସ ପଟ୍ଟନାୟକ, ସିଡାକ୍ର ମେମ୍ବର ସେକ୍ରେଟାରି ସିତିକାନ୍ତ ଷଡ଼ଙ୍ଗୀଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.