କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ସୁବୋଧ?

ଭୁବନେଶ୍ବର: ଆସନ୍ତାକାଲି ରାତି ପାହିଲେ ଉତ୍କଳ ବିଶ୍ବବିଦ୍ୟାଳୟ ପାଳନ କରିବାକୁ ଯାଉଛି ପ୍ଲାଟିନମ୍ ଜୁବୁଲି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବାଣୀବିହାର। ହେଲେ ହଠାତ୍ ଆଜି ଏକ ଘଟଣା ପୂରା ବାଣୀବିିହାରରେ ଲାଗି ରହିଥିବା କାମକୁ ଏକରକମ ୪ ରୁ ୫ ଘଣ୍ଟା ପ୍ରର୍ଯ୍ୟନ୍ତ ଠପ୍ କରିଦେଇଥିଲା। କାରଣ ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।
ପ୍ଲାଟିନମ୍ ଜୁବୁଲି ଅବସରରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ, ପାଠାଗର ଇତ୍ୟାଦିରେ ରଙ୍ଗ କରାଯାଉଛି। ଆଜି ରଙ୍ଗମିସ୍ତ୍ରୀ ମାନେ ପରିଜା ପାଠାଗାର ରଙ୍ଗ କରିବା ପାଇଁ ଉପରକୁ ଯାଇଥିଲେ। ସେଠାରେ ସେମାନେ ପହଞ୍ଚିବା ପରେ ସୁବୋଧ କୁମାର ବାରିକ ନାମକ ଜଣେ ବ୍ୟକ୍ତି ଛାତ ଉପରେ ଅଛି ଏବଂ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଛି ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ପାଠାଗର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପରେ ଖବର ଚାରିଆଡେ ଖେଳି ଯାଇଥିଲା। ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, କମିଶନରେଟ ପୋଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଅଗ୍ନିଶମ ବିଭାଗ ଓ ପୋଲିସ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘ ୩ ଘଣ୍ଟାର ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନଥିଲା। ଏପରିକି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା। ୩ ଘଣ୍ଟାର ଅପରେଶନ ପରେ ତାଙ୍କୁ ଛାତ ଉପରୁ ଉଦ୍ଧାର କରାଯାଇଥିଲା ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା କରିବା ପାଇଁ ନେଇଥିଲେ। ହେଲେ କଣ ପାଇଁ ଏପରି କରିଲେ ଜାଣନ୍ତୁ।
ଗଣମାଧ୍ୟମରେ ଜଣେ ସମ୍ପର୍କୀୟ ନିର୍ମଳ ଚନ୍ଦ୍ର ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ୨୦୦୧ ମସିହାରେ ପୋଷ୍ଟାଲ୍ ଡିପାର୍ଟମେଣ୍ଟରେ ଚାକିରି ପାଇଥିଲେ। ସେ ମହୁ ଡାକ ଅଫିସ୍ରେ ଡାକ ବାହକ ଭାବେ ଚାକିରି ପାଇଥିଲେ। କିନ୍ତୁ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେଥିପାଇଁ ସେ ନିୟମିତ ଔଷଧ ଖାଉଥିଲେ। ତେବେ ବାହାଘର ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଠିକ୍ ଭାବେ ଔଷଧ ଖାଇବାକୁ ଦେଇନଥିବା ଅଭିଯୋଗ ହୋଇଛି। ତେଣୁ ଧୀରେ ଧୀରେ ତାଙ୍କର ମାନସିକ ସ୍ଥିତି ଆହୁରି ଖରାପ ହେଲା। ସେଥିପାଇଁ ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ମଧ୍ୟ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଥିଲା।
ସୁବୋଧଙ୍କ ସ୍ଥାନରେ ଅନ୍ୟ ଜଣେ କାର୍ଯ୍ୟ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଯାହାଫଳରେ ପୋଷ୍ଟ ଅଫିସରେ କାମ ବନ୍ଦ ହୋଇଯାଇଥିଲା। ଏଥିପାଇଁ ଡାକ ବିଭାଗ ସୁବୋଧଙ୍କୁ କରଣଦର୍ଶାଅ ନୋଟିସ କରିଥିଲା। ମାତ୍ର ସୁବୋଧ ମେଡିକାଲ୍ରେ ଚିକିତ୍ସିତ ହେଉଥିବାରୁ ଡାକ ବିଭାଗକୁ ଉତ୍ତର ଦେଇପାରିନଥିଲେ। ଯାହାଫଳରେ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ତେବେ ମେଡିକାଲ୍ରୁ ଡିସ୍ଚାର୍ଜ ହେବା ପରେ ଚାକିରି ଯିବା ଜାଣି ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। କେମିତି ପରିବାର ଚଳାଇବେ, ସେଥିପାଇଁ ଚିନ୍ତିତ ଥିଲେ ବୋଲି ସୁବୋଧଙ୍କ ସମ୍ପର୍କୀୟ ନିର୍ମଳବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି।
ଚାକିରି ଫେରିପାଇବା ଆଶା ନେଇ ଭୁବନେଶ୍ୱରରେ ରହୁଥିବା ମାଉସୀଙ୍କ ଘରକୁ ଆସିଥିଲେ। ଏଠାରେ ରହି ପୋଷ୍ଟାଲ୍ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭେଟିବାକୁ ଯାଉଥିଲେ। ମାତ୍ର ସବୁଆଡୁ ନିରାଶ ହୋଇଥିଲେ। ଶେଷରେ ସବୁଆଡ଼ୁ ନିରାଶ ହେବା ପରେ ମାଉସୀଙ୍କ ଘରୁ ଫେରାର ହୋଇଯାଇଥିଲେ। ପରିବାର ଓ ବନ୍ଧୁବାନ୍ଧବ ସବୁଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ମାଉସୀଙ୍କ ଘରୁ ଚାଲି ଆସିବା ପରେ ସୁବୋଧ ବୁଲୁଥିବା ଦେଖି ପୁଲିସ ତାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଛାଡ଼ିଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ତେବେ ଦୁଇ ଦିନ ତଳେ ମିଶନ ଆଶ୍ରାର ପାଚେରୀ ଡେଇଁ ପଳାଇ ଯାଇଥିଲା।
Comments are closed.