ବନ୍ଧୁକ ଛାଡି ଝାଡୁ ଧରିଲେ ମାଓନେତ୍ରୀ
ମାଲକାନଗିରି: ହାତରୁ ବନ୍ଧୁକ ଛାଡି ଧରିଛନ୍ତି ଝାଡୁ ଓ ଦେହରୁ ମାଓ ୟୁନିଫର୍ମ କାଢି ପିନ୍ଧିଛନ୍ତି ନୀଳ ପୋଷାକ। ଜଙ୍ଗଲି ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରାକୁ ଛାଡି ଏବେ ପାଲଟିଛନ୍ତି ସାଧାରଣ ମଣିଷ। ଖୁସିରେ ମୁଣ୍ଡ ଟେକି ବଞ୍ଚିବାର ସହ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ଏହି କାହାଣୀ ହେଉଛି ମାଲକାନଗିରିର ଦୁର୍ଦ୍ଦାନ୍ତ ମାଓବାଦୀରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାଳତୀ କାବାସି ଓ ଦେବୀ ମାଢ଼ୀଙ୍କର ।
ଦୀର୍ଘବର୍ଷ ଧରି ଲାଲ୍ ବାହିନୀରେ କାର୍ଯ୍ୟ କରୁଥିବା ଏହି ଦୁଇ ମାଓନେତ୍ରୀ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ମିଳିଛି। ମାଳତୀ କାବାସି ଓ ଦେବୀ ମାଢ଼ୀ ଲାଲ୍ବାହିନୀରେ ଦୀର୍ଘ ୮ବର୍ଷ ସଂପୃକ୍ତ ଥିଲେ ଏବଂ ୧୨ରୁ ଅଧିକ ସ୍ଥାନରେ ହିଂସାକାଣ୍ଡରେ ଜଡ଼ିତ ଥିଲେ। କିନ୍ତୁ ହିଂସା, ରକ୍ତପାତ ଓ ଆତଙ୍କରେ ଅଣନିଶ୍ୱାସୀ ହେବା ପରେ ଏମାନେ ଖାଲି ଆତ୍ମସମର୍ପଣ କଲେନି, ଚାହିଁଲେ ଆତ୍ମ ନିର୍ଭରଶୀଳ ହେବାକୁ। ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସଫେଇ କର୍ମଚାରୀ ଆବଶ୍ୟକତା ଥିବା ଜାଣି ଆବେଦନ କଲେ ଓ ନିଯୁକ୍ତି ବି ପାଇଲେ । ଦୁଇ ମହିଳାଙ୍କର ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ।
Comments are closed.