ସମ୍ବିଧାନ ଆମ ପାଇଁ ବଡ ଓ ପବିତ୍ର ଗ୍ରନ୍ଥ : ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ୭୦ ତମ ସମ୍ବିଧାନ ଦିବସ ଅବସରରେ ସଂସଦର ସେଣ୍ଟ୍ରାଲ ହଲ୍ରେ ଏକ ମିଳିତ ଅଧିବେଶନ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେଇ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ। ମୋଦୀ କହିଛନ୍ତି, ଆମ ସମ୍ବିଧାନ ଆମ ପାଇଁ ସବୁଠାରୁ ବଡ଼ ଏବଂ ପବିତ୍ର ଗ୍ରନ୍ଥ। ଏହା ଆମର ମାର୍ଗଦର୍ଶକ। ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ଲିଖିତ ସମ୍ବିଧାନ ଭାବେ ପରିଚିତ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୁଁ ୧୩୦ କୋଟି ଭାରତୀୟଙ୍କ ସାମ୍ନାରେ ନତମସ୍ତକ ହେଉଛି, ଯେଉଁମାନେ ଗଣତନ୍ତ୍ର ପ୍ରତି ନିଜର ଆସ୍ଥା କମ୍ ହେବାକୁ ଦେଇନାହାନ୍ତି ଏବଂ ସମ୍ବିଧାନକୁ ପବିତ୍ର ଗ୍ରନ୍ଥ ଭାବେ ମାନିଛନ୍ତି। ଦେଶବାସୀ ସମ୍ବିଧାନ ଉପରେ ସାମାନ୍ୟ ଆଘାତ ଆସିବାକୁ ଦେଇନାହାନ୍ତି। ଆମ ସମ୍ବିଧାନ ଶକ୍ତିଶାଳୀ ହୋଇଥିବାରୁ ଆମେ ଏକ ଭାରତ-ଶ୍ରେଷ୍ଠ ଭାରତ ଦିଗରେ ଅଗ୍ରସର ହୋଇପାରିଛେ। ସମ୍ବିଧାନର ମର୍ଯ୍ୟାଦା ଭିତରେ ରହି ଆମେ ସମସ୍ତ ସୁଧାର ଆଣିପାରିଛେ। ଡା.ବି.ଆର୍. ଆମ୍ବେଦକରଙ୍କ ଯୋଗଦାନ ଏବଂ ସମ୍ବିଧାନର ମହତ୍ତ୍ୱକୁ ପ୍ରସାର କରିବା ପାଇଁ “ସମ୍ବିଧାନ ଦିବସ” ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରୁ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ।
Comments are closed.