Odisha Link
Bridging the Missing Links in Odisha

କିଏ ଏନସିପି ପାଇଁ ହ୍ବିପ୍‌ ଜାରି କରିବ?

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି। କାରଣ ଆସନ୍ତାକାଲି ମହାରାଷ୍ଟ୍ରରେ ଫଡ଼ନାଭିସ ସରକାର ଆସ୍ଥା ଭୋଟର ପରୀକ୍ଷା ଦେବେ। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ବିଧାୟକଙ୍କ ପାଇଁ କିଏ ହ୍ୱିପ ଜାରି କରିବେ ତାହା ଏବେ ଚର୍ଚ୍ଚାର ବିଷୟ। ଏନ୍‌ସିପିର ବିଦ୍ରୋହୀ ନେତା ଅଜିତ ପାୱାର ବିଜେପି ସହ ମିଶି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ବି ଏନସିପି ତାଙ୍କୁ ଦଳରୁ ବହିଷ୍କାର କରିନାହିଁ। ତେଣୁ ସେ ହିଁ ଦଳୀୟ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଏନସିପି ପକ୍ଷରୁ କୁହାଯାଇଛି ଯେ ଅଜିତଙ୍କୁ ବିଧାୟକ ଦଳ ନେତା ଓ ଚିଫ ହ୍ୱିପ ପଦରୁ ବରଖାସ୍ତ କରାଯାଇଛି। ରାଜ୍ୟ ଏନସିପି ମୁଖ୍ୟ ଜୟନ୍ତ ପାଟିଲ ହିଁ ଏବେ ଦଳର ଚିଫ ହ୍ୱିପ। ତେଣୁ ସେ ହିଁ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିବେ।

ସୂତ୍ର ଅନୁସାୟରେ, ଜୟନ୍ତ ପାଟିଲ ହିଁ ଏନସିପି ବିଧାୟକ ଦଳ ନେତା ହୋଇଛନ୍ତି। ତେଣୁ ସେ ହିଁ ହ୍ୱିପ ଜାରି କରିବାର ଅଧିକାର ପାଇଛନ୍ତି। ନିୟମ ଅନୁଯାୟୀ, ଯଦି କୌଣସି ରାଜନୀତିକ ଦଳ କାହାକୁ ଚିଫ୍‌ ହ୍ୱିପ ଭାବେ ନିଯୁକ୍ତି ଦେଉଛି, ତା’ହେଲେ ପ୍ରଥମେ ଉକ୍ତ ଦଳ ବାଚସ୍ପତି କିମ୍ବା ବିଧାନସଭା ସଚିବଙ୍କୁ ଏ ସମ୍ପର୍କରେ ଅବଗତ କରାଇବ। ଅକ୍ଟୋବର ୩୦ରେ ଅଜିତ ପାୱାର ଏନସିପିର ଚିଫ୍‌ ହ୍ୱିପ ଭାବେ ନିଯୁକ୍ତି ପାଇଥିଲେ। ତେବେ ଏ ସମ୍ପର୍କରେ ଏନସିପି ପକ୍ଷରୁ ବିଧାନସଭା ସଚିବଙ୍କୁ ଅବଗତ କରାଯାଇ ନାହିଁ।

ଆସନ୍ତାକାଲି ଆସ୍ଥା ଭୋଟ ସମୟରେ ସେ ହିଁ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିପାରିବେ। ବିଶେଷଜ୍ଞଙ୍କ ମତରେ ଏନସିପି ପାଇଁ କେବଳ ଜୟନ୍ତ ପାଟିଲ ହିଁ ହ୍ୱିପ ଜାରି କରିପାରିବେ। ଯଦି ପାୱାରଙ୍କୁ ଏନସିପି ଏହି ପଦରୁ ବହିଷ୍କୃତ କରି ନଥାଆନ୍ତା, ତା’ହେଲେ ସେ ହ୍ୱିପ ଜାରି କରିପାରି ଥାଆନ୍ତେ। ହେଲେ ଏବେ ଜୟନ୍ତ ପାଟିଲଙ୍କ ହାତରେ ସବୁ କ୍ଷମତା ରହିଛି।

Comments are closed.